ଆତତାୟୀ ଗୁଳିରେ ପ୍ରାଣ ହରାଇଲେ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଟୋକିଓ (ସଂକେତ ଟିଭି): ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆତତାୟୀ ଗୁଳିରେ ପ୍ରାଣ ହରାଇଛନ୍ତି। ଆଜି ସକାଳେ ନରା ସହରରେ ଭାଷଣ ଦେଉଥିବା ବେଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଆକ୍ରମଣକାରୀ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେ ପ୍ରାଣ ହରାଇଛନ୍ତି । ତେବେ ସିଞ୍ଜୋଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ତାଙ୍କ ହୃତପିଣ୍ଡ କାମ ବନ୍ଦ କରିଦେଇଥିଲା ଏବଂ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା।

ସୂଚନା ମୁତାବକ ଆଜି ‘ୟାମାତୋ ସାଇଡାଇଜି ଷ୍ଟେସନ୍‌’ ସମ୍ମୁଖରେ ଆବେ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ ବେଳେ ହଠାତ୍ ପଛପଟୁ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଅତର୍କିତ ଭାବେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ଗୋଟିଏ ତାଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟଟି ତାଙ୍କ ଛାତିରେ ବାଜିଥିଲା। ଘଟଣାସ୍ଥଳରେ ସିଞ୍ଜୋ ଆବେ ଟଳି ପଡିଥିବା ବେଳେ ଶରୀରରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ।

ତେବେ ଏହି ଘଟଣା ପରେ ନରା ସହରନିବାସୀ ୪୧ ବର୍ଷିୟ ସେସୁୟା ୟାମାଗାମିଙ୍କୁ ଗିରଫ କରାଯାଇଛି । ତାର ବୟସ ୪୧ ବର୍ଷ ବୋଲି କହିଛି। ସେ ପୂର୍ବରୁ ମାରିଟାଇମ ସେଲ୍ଫ ଡିଫେନ୍ସ ଫୋର୍ସର ସଦସ୍ୟ ଥିବା ସୂଚନା ମିଳିଛି । ପୋଲିସ ତାକୁ ପଚରା ଉଚରା କରୁଥିବା ବେଳେ ସେ ଚାଞ୍ଚଲ୍ୟକର ବୟାନ ଦେଇଛି। ସେ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆଦୌ ଖୁସି ନଥିଲା ଓ ତାଙ୍କୁ ଜୀବନରେ ମାରିବାକୁ ଚାହୁଁଥିଲା ବୋଲି କହିଛି।

୬୭ ବର୍ଷୀୟ ସିଞ୍ଜୋ ଆବେ ଜାପାନର ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଥିଲେ। ସେ ୨୦୦୬ ରୁ ୨୦୦୭ ପର୍ଯ୍ୟନ୍ତ ଏବଂ ପୁନର୍ବାର ୨୦୧୨ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ଜେଜେବାପା ମଧ୍ୟ ଜାପାନର ପ୍ରଧାନମନ୍ତ୍ରୀ ଥିଲେ ଏବଂ ତା’ପରେ ତାଙ୍କ ପିତା ମଧ୍ୟ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ। ତେବେ ଜାପାନରେ କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ସର୍ବସାଧାରଣରେ ହତ୍ୟାର ଏହା ପ୍ରଥମ ଘଟଣା।