୫ ବର୍ଷ ମଧ୍ୟରେ ଭାରତରେ ବ୍ୟାନ ହେବ ପେଟ୍ରୋଲ

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ମଧ୍ୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରୁ ପେଟ୍ରୋଲକୁ ଶେଷ କରିଦିଆଯିବ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି । ଏହା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଗୁରୁବାର ଆକୋଲାସ୍ଥିତ ଡକ୍ଟର ପଞ୍ଜାବ୍ରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ ତମ ସମ୍ମିଳନୀରେ ନୀତିନ ଗଡକରୀ ଯୋଗ ଦେଇ କହିଛନ୍ତି ଯେ, ବର୍ତ୍ତମାନ ବିଦର୍ଭରେ ନିର୍ମିତ ବାୟୋ-ଇଥାନଲର ବ୍ୟବହାର ଯାନରେ କରାଯାଉଛି । କୂଅ ପାଣିରୁ ସବୁଜ ହାଇଡ୍ରୋଜେନ ତିଆରି କରାଯାଇପାରିବ ଓ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି ହୋଇପାରିବ । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ସରିଯିବ ବୋଲି ଗଡକରୀ କହିଛନ୍ତି ।

ସେ କହିଛନ୍ତି ଯେ କୌଣସି ଚାଷୀ କେବଳ ଗହମ, ଧାନ, ମକା ଲଗାଇ ନିଜର ଭବିଷ୍ୟତ ପରିବର୍ତ୍ତନ କରିପାରିବେ ନାହିଁ । କୃଷକମାନେ କେବଳ ଖାଦ୍ୟ ଯୋଗାଣକାରୀ ନୁହଁନ୍ତି ଶକ୍ତି ପ୍ରଦାନକାରୀ ହେବା ଆବଶ୍ୟକ ।

ଗଡକରୀ କହିଛନ୍ତି ଯେ ଇଥାନଲ ଉପରେ ନିଷ୍ପତ୍ତି ଦେଶକୁ ୨୦,୦୦୦ କୋଟି ଟଙ୍କା ସଞ୍ଚୟ କରିଛି । ନିକଟ ଭବିଷ୍ୟତରେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଗ୍ରୀନ୍ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନଜି ଉପରେ ଆଧାରିତ ହେବ ।