ଆଇଆଇଟି ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଫସିଲେ ଆଇଏଏସ୍‌ ଅଫିସର

ରାଞ୍ଚି (ସଂକେତ ଟିଭି): : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଜନୈକା ଛାତ୍ରୀଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଆଇଏଏସ୍‌ ଅଧିକାରୀ ସୟଦ ରିଆଜ ଅହମ୍ମଦଙ୍କୁ ଝାଡ଼ଖଣ୍ଡ ସରକାର ଶୁକ୍ରବାର ଦିନ ନିଲମ୍ବିତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଖୁଣ୍ଟିର ସବ୍‌-ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ (ଏସଡିଏମ୍‌) ଥିବା ଅହମ୍ମଦଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ହେବାପରେ ମଙ୍ଗଳବାର ଦିନ ପୁଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଅହମ୍ମଦଙ୍କ ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ ଦୁଇ ସପ୍ତାହ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଥିଲା । ତେବେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୟଦ ରିଆଜ ଅହମ୍ମଦଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବାପରେ ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତ ଥିବା ଖୁଣ୍ଟି
ଏସଡିଏମ ଅହମ୍ମଦଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତି ଜାରି କରାଯାଇଛି ।

ଅଭିଯୁକ୍ତ ଅହମ୍ମଦଙ୍କ ବିରୋଧରେ ଆଇପିସିର ଧାରା ୩୫୪ (ମହିଳାଙ୍କୁ ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ), ୩୫୪ଏ (ଯୌନ ଉତ୍ପୀଡନ) ଏବଂ ୫୦୯ (ଶବ୍ଦ, ଅଙ୍ଗଭଙ୍ଗୀ କିମ୍ବା କାର୍ଯ୍ୟ ଯାହା ଜଣେ ମହିଳାଙ୍କୁ ଅପମାନିତ କରିବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ) ଅଧୀନରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି । ଅଭିଯୁକ୍ତ ଅହମ୍ମଦଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ଜୁଲାଇ ୫ରେ ଏକ ଅଦାଲତ ଅଭିଯୁକ୍ତ ଅଧିକାରୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିଲେ ।

ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ପୀଡିତାଙ୍କ ସମେତ ଏକ ଆଇଆଇଟିର ଆଠ ଜଣ ଇଞ୍ଜିନିୟରିଂ ଛାତ୍ରୀ ତାଲିମ ପାଇଁ ରାଜ୍ୟ ବାହାରୁ ଖୁଣ୍ଟି ଆସିଥିଲେ । ସେମାନେ ଶନିବାର ଦିନ ଡେପୁଟି ଡେଭଲପମେଣ୍ଟ କମିଶନରଙ୍କ ବାସଭବନରେ ଆୟୋଜିତ ଏକ ରାତ୍ରି ଭୋଜନରେ ଯୋଗ ଦେଇଥିଲେ । ଏହି ସମୟରେ ଏସଡିଏମ ପୀଡ଼ିତାଙ୍କୁ ପାର୍ଟିରେ ଏକୁଟିଆ ପାଇ ତାଙ୍କୁ ଯୌନ ଉତ୍ପୀଡନ କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ । ଅଭିଯୁକ୍ତ ଅହମ୍ମଦ ଏବଂ ପାର୍ଟିରେ ଯୋଗ ଦେଇଥିବା କିଛି ଅତିଥିଙ୍କୁ ଘଟଣା ସଂପର୍କରେ ପଚରାଉଚରା କରାଯିବା ପରେ ପୁଲିସ ଏହି ଅଭିଯୋଗରେ ସତ୍ୟତା ରହିଥିବା ଜାଣିବାକୁ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।