କରୋନା ରେଡ୍ ଜୋନକୁ ଫେରିଲା ଭୁବନେଶ୍ବର, ପୁରୀ ଓ କଟକ

ଭୁବନେଶ୍ବର (ସଂକେତ ଟିଭି): କରୋନା ମାମଲା ଓଡିଶାରେ କ୍ରମାଗତ ଭାବରେ ବଢିଚାଲିଥିବାବେଳେ ରାଜ୍ୟର ତିନି ପ୍ରମୁଖ ସହର ଭୁବନେଶ୍ବର, ପୁରୀ ଓ କଟକ ରେଡ୍ ଜୋନକୁ ଫେରିଛି। ଏହି ସହରମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି ।

ରାଜ୍ୟ ସରକାରଙ୍କ ପ୍ରଦତ୍ତ ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି। ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦୦ ଟପିଛି। ଗତ ୧୨ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୮ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଛନ୍ତି। ଏଣେ କଟକ ଜିଲ୍ଲାରୁ ୮୯ ଓ ପୁରୀ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛି।

ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦, ୯୫୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।