ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ଲାଗିଲା ରୋକ୍

ଭୁବନେଶ୍ବର (ସଂକେତ ଟିଭି): ବିନା ଅନୁମତିରେ ସ୍କୁଲ୍‌ କ୍ୟାମ୍ପସ ଭିତରେ ପଶି ପାରିବେନାହିଁ ଗଣମାଧ୍ୟମର ପ୍ରତିନିଧି । ସ୍କୁଲ ହତା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ କିଛି ପଚାରି ପାରିବେ ନାହିଁ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀମାନେ (ଡିଇଓ) ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଚିଠି କରିବା ପରେ ବିଇଓମାନେ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି।

ଡିଇଓମାନେ ବିଇଓଙ୍କୁ ଚିଠି କରି କହିଛନ୍ତି, ‘ଦେଖିବାକୁ ମିଳୁଛି; କିଛି ଲୋକ କ୍ୟାମେରା ନେଇ ସ୍କୁଲରେ ପ୍ରବେଶ କରିବା ସହ ଛାତ୍ରଛାତ୍ରୀ/ଶିକ୍ଷକମାନଙ୍କୁ ଅପମାନ କରିବା ଭଳି ପ୍ରଶ୍ନ କରୁଛନ୍ତି। କିଛି ଟିଭି ଚ୍ୟାନେଲ ଏହି ଭିଡିଓକୁ ପ୍ରସାରଣ କରୁଛନ୍ତି। ସ୍କୁଲ ପରିସରରେ ଏହିଭଳି କାର୍ଯ୍ୟ ଅନୁମୋଦିତ ନୁହେଁ। ଏହା ମଧ୍ୟ ଅନୈତିକ। ତେଣୁ ସ୍କୁଲ ପ୍ରଧାନ ଶିକ୍ଷକମାନେ ସ୍କୁଲ କି ଶ୍ରେଣୀଗୃହକୁ ଏହିଭଳି ଅନଧିକୃତ ପ୍ରବେଶକୁ ଅନୁମତି ଦେବେନି। ଯଦି କେହି ସ୍କୁଲ ଭିତରକୁ ମନ୍ଦ ଉଦ୍ଦେଶ୍ୟ ନେଇ ପ୍ରବେଶ କରୁଛନ୍ତି ଏବଂ ଏହିଭଳି କାର୍ଯ୍ୟ କରୁଛନ୍ତି ତେବେ ସ୍କୁଲର ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ଡାକି ଥାନାରେ ମାନବାଧିକାର ଉଲ୍ଲଂଘନ ନେଇ ଏଫ୍ଆଇଆର୍ ଦେବେ।’ ଏନେଇ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦେବାକୁ ବିଇଓମାନଙ୍କୁ କୁହାଯାଇଛି।

ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମ ଉପରେ ଏପରି ଅଙ୍କୁଶ କି ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର କଥା କହିବାକୁ କାହାକୁ ପଇସା ପଡେନି । ଯାହା ଆମର ଦୋଷ ଦୁର୍ବଳତା ଆମେ ଆମର ଜାଣିଛୁ । କେବଳ ଗଣମାଧ୍ୟମ କହିଲେ ଯେ ଆମେ ଜାଣୁଛୁ ସେ କଥା ନୁହେଁ । ଆମର ବ୍ୟବସ୍ଥା ଭିତରେ ଆମେ ଚାଲୁଛୁ । ଯାହା ସମ୍ଭବ ଆମେ କରୁଛୁ । ସ୍ୱୀକୃତି ପ୍ରାପ୍ତ ଗଣମାଧ୍ୟମ ବାଦ ମଧ୍ୟ ଅନେକ ୱେବ ଚ୍ୟାନେଲ ହୋଇଗଲେଣି। ସେମାନେ ମଧ୍ୟ ପ୍ରେସ ମାରିକି ବୁଲୁଛନ୍ତି । ଅନାବଶ୍ୟକ ଭାବେ ସ୍କୁଲରେ ପଶିକି ପାଠ ପଢ଼ାରେ ଇଣ୍ଟରଭ୍ୟୁ କରୁଛନ୍ତି । ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକ ମାନଙ୍କୁ ଏପରି ହଇରାଣ କରିବା ଅନୁଚିତ । ତେଣୁ ଅନୁମତି ନେଇ କି ସ୍କୁଲରେ ପଶିବାକୁ ଚିଠି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିବା ଅନୁଯାୟୀ,” ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କଲୁକୁ ପ୍ରବେଶ କରୁଛନ୍ତି । ମୁଁ ମଧ୍ୟ ଦେଖିଛି କିଛି ସ୍ଥାନରେ ସେପରି ଘଟଣା ଘଟିବା ପରେ ବିଇଓ ମାନେ ଚିଠି ଜାରି କରିଛନ୍ତି । ମୁଁ ଆଶା କରିବି ଏବଂ ଅନୁରୋଧ କରିବି ସମସ୍ତ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ । ଯାହା ଆବଶ୍ୟକତା ରହିଛି ଯାହା ସମସ୍ୟା ରହିଛି ତାକୁ ନଜରକୁ ଆଣିବା ପାଇଁ ଗଣମାଧ୍ୟମ ଅଧିକାର ରହିଛି । କିନ୍ତୁ କେତେ ଗୁଡିଏ ସ୍ଥାନରେ ଗଣମାଧ୍ୟମର ଭୂମିକା ମଧ୍ୟ ଅନାବଶ୍ୟକଠୁ ଅଧିକ ହେଉଛି । ତେଣୁ ସେହି କଥାକୁ ଆଧାର କରି ସ୍ଥାନୀୟ କ୍ଷେତ୍ରରେ ବିଇଓ ମାନେ କରିଥିବା ମୋ ନଜରକୁ ଆସିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ”।

ଏଘଟଣାକୁ ନାପସନ୍ଦ କରିଛନ୍ତି ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି। ସାଂସଦ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏଭଳି ନି‌ଷ୍ପତ୍ତି କଥା ଶୁଣି ମୁଁ ହତବାକ୍। ସ୍କୁଲ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ଏଭଳି ନିଷ୍ପତ୍ତି ହାସ୍ୟାସ୍ପଦ। ମୁଁ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ସ୍କୁଲରେ ଥିବା ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବା ଲାଗି ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲି।

ଏଣେ କଂଗ୍ରେସ ବିଧାୟକ ସୁର ରାଉତରାୟ ବି ସରକାରୀ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇବା ନିର୍ଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସରକାରୀ ସ୍କୁଲରେ ପାଠପଢ଼ା ଠିକ୍ ଭାବେ ହେଉନି, ପଞ୍ଚମ ଶ୍ରେଣୀ ପିଲାଙ୍କୁ ଦ୍ବିତୀୟ ଶ୍ରେଣୀ ପାଠ ଆସୁନି, ଶିକ୍ଷକ ଆସୁନାହାନ୍ତି, ମଧ୍ୟାହ୍ନ ଭୋଜନରେ ପୋକରା ଡାଲି ଓ ସଢ଼ା ଅଣ୍ଡା ଦିଆଯାଉଛି। ଏହିଭଳି ଭାବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସରକାରୀ ସ୍କୁଲର ଗୁମର ଫିଟାଇବା ପରେ ଗଣଶିକ୍ଷା ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି। କେବଳ ଏତିକି ନୁହେଁ, ଯଦି କେହି ବାରଣ ସତ୍ତ୍ବେ କ୍ୟାମେରା, ବୁମ୍ ଧରି ସ୍କୁଲକୁ ଯିବେ ତେବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫ୍ଆଇଆର୍ ଦେବାକୁ କୁହାଯାଇଛି।