ବିରାଟ କୋହଲିଙ୍କ ପ୍ରତି ଏତେ ଦରଦ କାହିଁକି: କପିଳଦେବ

ନୂଆଦିଲ୍ଲୀ (ସଂକେତ ଟିଭି): ପୂର୍ବତନ ବିଶ୍ୱକପ ବିଜୟୀ ଅଧିନାୟକ ତଥା ଅଧିନାୟକ କପିଳ ହେବ ବିସିସିଆଇ ଚୟନକର୍ତ୍ତାଙ୍କର ଦୃଷ୍ଟି ଆକର୍ଷଣ କରି କହିଛନ୍ତି ଯେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ତ୍ତମାନ ଟେଷ୍ଟ କ୍ରିକେଟ ଜଗତର ଦୁଇ ନମ୍ବର ମାନ୍ୟତା ପ୍ରାପ୍ତ ବୋଲର ଭାବେ ପରିଗଣିତ । ଟେଷ୍ଟ କ୍ରିକେଟରେ ସେ ୪୫୦ ୱିକେଟ ଅକ୍ତିଆର କରିଛନ୍ତି । ମାତ୍ର ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ମିଳୁନି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଚୟନକର୍ତ୍ତା ମାନେ ବିଶ୍ୱ ମାନ୍ୟତାର ଏକ ନମ୍ବର ବୋଲରଙ୍କୁ ମଧ୍ୟ ଦଳରୁ ବାଦ କରିବା ପାଇଁ ଦ୍ୱିଧା କରିବେ ନାହିଁ ।

ନିକଟରେ ଏଜାବାଷ୍ଟନରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଫାଇନାଲ ଟେଷ୍ଟ ମ୍ୟାଚରେ ଅଶ୍ୱିନଙ୍କୁ ଖେଳିବା ସୁଯୋଗ ମିଳିଲାନି । ସେ ଜଣେ ମ୍ୟାଚ ବିଜୟୀ ବୋଲର । ତଥାପି ତାଙ୍କ ପ୍ରତି ଚୟନକର୍ତ୍ତାମାନେ ଅବିଚାର କଲେ । ଏହି ମ୍ୟାଚରେ ଭାରତ ଶୋଚନୀୟ ପରାଜୟ ସ୍ୱିକାର କରି ଥିବା ବେଳେ ଇଂଲଣ୍ଡ ୭ ୱିକେଟରେ ବିଜୟୀ ହୋଇ ୨- ୨ରେ ସିରିଜ ବରାବର କରି ପାରିଲା । ତେବେ ଅଶ୍ୱିନଙ୍କ ପରି ବିପୁଳ ଅଭିଜ୍ଞତା ହାସଲ କରିଥିବା ବୋଲରଙ୍କ କ୍ଷେତରେ ଯଦି ଏପରି ବ୍ୟତିକ୍ରମ ହୋଇ ପାରୁଛି,ତେବେ ଗତ ତିନି ବର୍ଷଧରି ଫର୍ମରେ ନ ଥିବା ବିରାଟ କୋହଲିଙ୍କ ପ୍ରତି ଭାରତୀୟ ଟିମ ମ୍ୟାନେଜମେଣ୍ଟ ଦରଦ ଦେଖାଉଛନ୍ତି କାହିଁକି?

କୋହଲି ବର୍ତ୍ତମାନ କୌଣସି ଫର୍ମାଟରେ ନିଜର ପୂର୍ବ କରିସ୍ମା ଦେଖାଇ ପାରୁ ନାହାନ୍ତି । ଆଇପିଏଲ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିଫଳ ହୋଇ ଆସୁଛନ୍ତି । ସେହିପରି ୨୦୧୯ରୁ କୌଣସି ଫର୍ମାଟରେ ଶତକ ଅର୍ଜନ କରି ପାରୁ ନାହାନ୍ତି । ଗତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ଉଭୟ ଇନିଂସରେ କୋହଲି ୧୧ ଓ ୨୦ ରନ କରିଥିଲେ । ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳରେ ସେ ସାମିଲ ହେଲେ ମଧ୍ୟ ଚୂଡାନ୍ତ ଏକାଦଶ ଦଳରେ ସ୍ଥାନ ପାଇବା ସମ୍ଭାବନା ମଧ୍ୟ ନାହିଁ । କାରଣ ତାଙ୍କ ଅପେକ୍ଷା ନବାଗତ ଯୁବ ଖେଳାଳି ମାନେ ଅତି ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି ।

ତେଣୁ ଜଣେ ଭଲ ଖେଳାଳିଙ୍କୁ ଉପେକ୍ଷା କରି କୋହଲିଙ୍କ ପରି ବିଫଳ ଖେଳାଳିଙ୍କୁ ଟି-୨୦ ଦଳରେ କାହିଁକି ସ୍ଥାନିତ କରାଯିବ । କାରଣ ସଂପ୍ରତି ଯୁବ ଖେଳାଳି ମାନେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଷ୍ଟାର ଖେଳାଳିଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରୁଛନ୍ତି । ତେଣୁ ଆଗାମୀ ବିଶ୍ୱକପ ସହିତ ଅନ୍ୟାନ୍ୟ ଟି-୨୦ ସିରିଜ ପାଇଁ କୋହଲିଙ୍କ ସ୍ଥାନରେ ଅନ୍ୟ ଜଣେ ଭଲ ଯୁବ ଖେଳାଳିଙ୍କୁ ଦଳରେ ଚୟନ କରିବା ପାଇଁ ବିସିସିଆଇର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ।

କ୍ରମାଗତ ବିଫଳ ହୋଇ ଆସୁଥିବା ଖେଳାଳିଙ୍କୁ ଅଧିକ ସୁଯୋଗ ଦେବା ଦଳ ଉପରେ କୁପ୍ରଭାବ ପଡିବ । ଆସନ୍ତା ୱେଷ୍ଟଇଣ୍ଡିଜ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ କୋହଲିଙ୍କୁ ବିଶ୍ରାମ ଦିଆ ଯାଇଛି । ଭଲ ଖେଳୁଥିବା ଯୁବ ଖେଳାଳିଙ୍କ ପାଇଁ ଏହା ବଡ ସୁଯୋଗ ସୃଷ୍ଟି କରିଛି । ଗତ ବର୍ଷର ଟି-୨୦ ବିଶ୍ୱକପରେ ଭାରତର ପ୍ରଦର୍ଶନ ଅତି ନୈରାଶ୍ୟ ଜନକ ଥିଲା । ତେଣୁ ଦକ୍ଷତାକୁ ଦେଖି ଚଳିତ ବର୍ଷର ଟି-୨୦ ବିଶ୍ୱକପ ପାଇଁ ଦଳ ଗଠନ ଉପରେ ଚୟନକର୍ତ୍ତା ନିଶ୍ଚିତ ଧ୍ୟାନ ଦେବେ ବୋଲି ବିଶ୍ୱାସ ।