ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରୁ ମିଳିଲା ୧୫ ମିଲିୟନ ନଗଦ ଟଙ୍କା

କଲମ୍ବୋ (ସଂକେତ ଟିଭି): ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ବାସଭବନ ଛାଡି ପଳାୟନ କରିଥିବା ବେଳେ ତାଙ୍କ ବାସଭବନରୁ ୧୫ ମିଲିୟନରୁ ଅଧିକ (ଶ୍ରୀଲଙ୍କା ମୁଦ୍ରା) ନଗଦ ଟଙ୍କା ମହଜୁଦ ଥିବା ସୂଚନା ସାମ୍ନାକୁ ଆସିଛି । ଏହି ଟଙ୍କା ଏବେ ଆନ୍ଦୋଳନକାରୀଙ୍କ ହାତରେ ଲାଗିଛି । ସେମାନେ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଛନ୍ତି ।

ଶ୍ରୀଲଙ୍କାରେ ଚାଲିଥିବା ପ୍ରଦର୍ଶନ ଯୋଗୁଁ ରାଷ୍ଟ୍ରପତି ଗୋଟୋବାୟାଙ୍କ ବାସଭବନରେ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ସମ୍ପୂର୍ଣ୍ଣ କବ୍ଜା କରିଛନ୍ତି । ଏପରିକି ରାଷ୍ଟ୍ରପତି ଭବନର ସୁଇମିଂ ପୁଲ ଓ କିଚେନରେ ମଧ୍ୟ ଆନ୍ଦୋଳନକାରୀଙ୍କ ଉପଦ୍ରବର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ରାଷ୍ଟ୍ରପତି ଗୋଟାବାୟା ରାଜପାକସେ ଗତକାଲି ଠାରୁ କେଉଁଆଡେ ପଳାୟନ କରିଛନ୍ତି । ସ୍ଥିତିକୁ ଦେଖି ସୁରକ୍ଷା ବାହିନୀ ତାଙ୍କୁ ସୁରକ୍ଷିତ ସ୍ଥାନରେ ରଖିଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ ତାଙ୍କ ବର୍ତ୍ତମାନ ଅବସ୍ଥିତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପ୍ରଧାନମନ୍ତ୍ରୀ ବିକ୍ରମସିଙ୍ଘେ ଇସ୍ତଫା ଦେଇସାରିଥିବା ବେଳ ରାଷ୍ଟ୍ରପତି ମଧ୍ୟ ଖୁବ ଶୀଘ୍ର ଇସ୍ତଫା ଦେବା ନେଇ ସୂଚନା ମିଳିଛି । ଅନ୍ୟ ରାଜନେତା ଓ ଜନ ପ୍ରତିନିଧିମାନେ ପ୍ରାଣ ଭୟରେ କେଉଁଠି ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଛନ୍ତି । କିଛି ନିର୍ବାଚିତ ଜନ ପ୍ରତିନିଧି ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ରକ୍ଷା ପାଇପାରି ନାହାନ୍ତି । ସେନା ଓ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ।

ରାଷ୍ଟ୍ରପତି ଭବନରୁ ଆନ୍ଦୋଳନକାରୀ ବିପୁଳ ପରିମାଣର ନଗଦ ଟଙ୍କା ପାଇବା ଖବର ସାମ୍ନାକୁ ଆସିବା ପରେ ବିକ୍ଷୋଭକାରୀମାନେ ସେଠାରେ ନିରାପତ୍ତାରେ ନିୟୋଜିତ ଥିବା ପୋଲିସ କର୍ମଚାରୀଙ୍କୁ ଏହା ହସ୍ତାନ୍ତର କରିଥିଲେ ।

ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ମଧ୍ୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ସର୍ବଦା ଶ୍ରୀଲଙ୍କା ପାଇଁ ଛିଡା ହୋଇଛି । କହିରଖୁଛୁ ଯେ ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ ବିରୋଧରେ ବିରୋଧ ଚରମ ସୀମାରେ ପହଞ୍ଚିଛି । ଏସ ଜୟଶଙ୍କର କହିଛନ୍ତି, “ଆମେ ଶ୍ରୀଲଙ୍କାକୁ ବହୁତ ସମର୍ଥନ କରିଛୁ । ଆମେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ । ଆମେ ସେମାନଙ୍କ ପାଇଁ ସର୍ବଦା ସାହାଯ୍ୟକାରୀ ରହିଆସିଛୁ ।”