ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ସଂକେତ ଟିଭି): କୋର୍ଟ ଅବମାନନା ମାମଲାରେ ସୁପ୍ରିମ କୋର୍ଟ ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲଦଣ୍ଡ ଦେଇଛନ୍ତି । ଏହାସହ ୨ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ କୋର୍ଟ ମାଲ୍ୟାଙ୍କୁ ବିଦେଶକୁ ପଠାଇଥିବା ୪୦ ମିଲିୟନ ଡଲାର ୪ ସପ୍ତାହରେ ପ୍ରଦାନ କରିବାକୁ ଆଦେଶରେ କହିଛନ୍ତି । ଏପରି ନକଲେ ମାଲ୍ୟାଙ୍କ ସମ୍ପତ୍ତି ଜବତ ହେବ ଓ ଅଧିକାରୀ ଯେକୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି ।

ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଏସ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରିଥିଲେ । ଏହି ମାମଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଦାଖଲ ହୋଇଥିଲା । କାରଣ କୋର୍ଟଙ୍କ ଆଦେଶ ସତ୍ତ୍ୱେ ମାଲ୍ୟା ବକୈୟା ରାଶି ପଇଠ କରିନଥିଲେ ।

କୋର୍ଟ ମାର୍ଚ୍ଚ ୧୦ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ପୂର୍ବରୁ ୨୦୧୭ ମସିହା ମେ ମାସରୁ କୋର୍ଟ ଅବମାନନା କାରଣରୁ ମାଲ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ‘ଯେଉଁଥିରେ କୋଟି କୋଟି ଟଙ୍କାର ଠକି ମାଲ୍ୟା ବିଦେଶ ପଳାଇଥିଲେ ଓ ବ୍ୟାଙ୍କ ଋଣ ସୁଝିନଥିବା ମାମଲା ରହିଥିଲା ।

କୋର୍ଟ ୨୦୧୭ ଜୁଲାଇ ୧୦ ତାରିଖରେ କୋର୍ଟରେ ହାଜର ହେବାକୁ ମାଲ୍ୟାଙ୍କୁ ନିର୍ଦ୍ଦେଶ ହୋଇଥିଲା । କୋର୍ଟ ଆହୁରି କହିଥିଲେ ଯେ, ମାଲ୍ୟା ଦୁଇଟି ମାମଲାରେ ଦୋଷୀ ଅଟନ୍ତି । ପ୍ରଥମେ ସେ ସମ୍ପତ୍ତି ବାବଦରେ ତଥ୍ୟ ଦେଇନତିଲେ ଓ ଦ୍ୱିତୀୟରେ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ମାନି ନଥିଲେ । ସେହି ସମୟରେ କୋର୍ଟ ମାଲ୍ୟାଙ୍କ ଅନୁପସ୍ଥିତି ବିନା ମାମଲା ଆଗକୁ ବଢାଯିବ ବୋଲି କହିଥିଲେ ।