ବିରାଟ କୋହଲିଙ୍କୁ ନେଇ ହେବ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ (ସଂକେତ ଟିଭି): ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ସରିବା ପରେ ଭାରତୀୟ ଦଳ ୱେ୍‌ଷ୍ଟଇଣ୍ଡିଜ ଗସ୍ତ କରିବ । ସେଠାରେ ଦୁଇ ଦଳ ମଧ୍ୟରେ ୩ ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ ଖେଳାଯିବ । ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇ ସାରିଥିବା ବେଳେ ଟି-୨୦ ସିରିଜ୍‌ ପାଇଁ ଘୋଷଣା ବାକି ରହିଛି । କୁହାଯାଉଛି ବିରାଟ କୋହଲିଙ୍କୁ ଦିନିକିଆ ପରି ଟି-୨୦ ସିରିଜରୁ ମଧ୍ୟ ବିଶ୍ରାମ ଦିଆଯାଇପାରେ । ଏମିତିରେ ବିସିସିଆଇ ଟି-୨୦ ସିରିଜରେ ବିରାଟ କୋହଲିଙ୍କୁ ବିଶ୍ରାମ ଦେବା ଉପରେ କୌଣସି ତରବରିଆ ଭାବେ ନିଷ୍ପତ୍ତି ନେବାକୁ ଚାହୁଁନାହିଁ ।

ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ବିଶ୍ୱକପ୍ ଦୃଷ୍ଟିରୁ ବହୁତ ଗୁରୁତ୍ବପୂର୍ଣ୍ଣ ରହିଛି । ଏହାକୁ ନଜରରେ ରଖି ଚୟନ କମିଟି ବୈଠକ ସମୟରେ କୋହଲିଙ୍କୁ ବିଶ୍ରାମ ଦେବେ କି ନାହିଁ ତା ଉପରେ ବିଚାର କରିବେ । ଚୟନ କମିଟିର ଜଣେ ସଦସ୍ୟ କହିଛନ୍ତି, ଯଦି କୌଣସି ଖେଳାଳି ବିଶ୍ରାମ ନେବାକୁ ଚାହାନ୍ତି ତେବେ ଆପଣ ତାଙ୍କୁ ମନା କରି ପାରିବେ ନାହିଁ । କିନ୍ତୁ ଫର୍ମରେ ନଥିବା ଖେଳାଳିଙ୍କ ପାଇଁ ବିଶ୍ରାମ ନେବା ଉଚିତ ନୁହେଁ । ହେଲେ ଆମେ ଖେଳାଳିଙ୍କୁ ଖେଳିବା ପାଇଁ ବାଧ୍ୟ କରି ପାରିବୁ ନାହିଁ । ବିରାଟଙ୍କ ଉପରେ ଅଦ୍ୟାବଧି କୌଣସି ନିଷ୍ପତ୍ତି ହୋଇ ନାହିଁ । ଆମେ ଦଳ ଘୋଷଣା କରିବା ପୂର୍ବରୁ ଅଧିନାୟକ ଏବଂ କୋଚଙ୍କ ସହିତ ଏହି ବିଷୟରେ ଆଲୋଚନା କରିବୁ ।

ବିରାଟ କୋହଲି ସଂପ୍ରତି ନିଜ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବଙ୍କ ସହିତ ଅନେକ ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ରେ ଜାଗା ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି । କୋହଲି ପାଖାପାଖି ପାଞ୍ଚ ମାସ ପରେ ଟି-୨୦ ସିରିଜ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲେ । ହେଲେ ମୋଟ୍‌ ୧୨ରନ କରି ପାରିଥିଲେ ।