୧୫ରେ ଆଉ ଏକ ଲଘୁଚାପ

ଭୁବନେଶ୍ବର (ସଂକେତ ଟିଭି): ବର୍ତ୍ତମାନ ଓଡ଼ିଶା ଉପରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଗକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଫଳରେ ରାଜ୍ୟ ତମାମ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୮ଟି ଜିଲ୍ଲାରେ ଅତ୍ରିବଳ ବର୍ଷା ଏବଂ ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ଯେ, ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ୩ ଦିନ ହେଲା ଓଡ଼ିଶା ଉପରେ ରହିଛି । ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳର ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହେଉଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ରେକର୍ଡ କରାଯାଇଛି । ୧୫ କିମ୍ବା ୧୬ ବେଳକୁ ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ପୂରା ରାଜ୍ୟରେ ମୌସୁମୀ ମଧ୍ୟ ସକ୍ରିୟ ରହିଥିବା ସେ କହିଛନ୍ତି ।

ଓଡ଼ିଶାର ବର୍ଷା ପରିମାଣ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ଜୁନ ମାସରେ ସମଗ୍ର ରାଜ୍ୟରେ ୩୭% କମ ବର୍ଷା ହୋଇଥିଲା । ଜୁନ ମାସରେ ୨୧ ସେମି ବର୍ଷା ହେବା କଥା । କିନ୍ତୁ ସମଗ୍ର ରାଜ୍ୟରେ ୧୩ ସେମି ବର୍ଷା ରେକର୍ଡ କରାଯାଇଛି । ତେବେ ଜୁଲାଇରେ ସ୍ଥିତି ବଦଳିଛି । ଜୁଲାଇ ୧ରୁ ୧୧ ମଧ୍ୟରେ ୧୩.୬ ସେମି ବର୍ଷା ହୋଇଛି । ସ୍ୱାଭିବକ ଭାବେ ଏହି ସମୟରେ ୧୦.୫ ସେମି ବର୍ଷା ହେବା କଥା । କିନ୍ତୁ ଚଳିତ ବର୍ଷ ୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି ।