ବ୍ୟାଙ୍କ ମିଶ୍ରଣର ପରିଣାମ ହ୍ରାସ ପାଇଲେଣି ୨୫ ହଜାରରୁ ଅଧିକ କର୍ମଚାରୀ

ନୂଆଦିଲ୍ଲୀ (ସଂକେତ ଟିଭି): ଦେଶରେ ବେକାରୀ ସଂଖ୍ୟା ବଢ଼ିଚାଲିଥିଲାବେଳେ ପ୍ରମୁଖ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ୍‌ମାନଙ୍କରୁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇବା ବା କର୍ମଚାରୀ ଛଟେଇ ହେବା ଓ ଅବସର ପରେ ତାଙ୍କ ସ୍ଥାନରେ ନୂତନ କର୍ମଚାରୀ ନିଯୁକ୍ତ ନ ହେବା କାରଣରୁ ଆର୍ଥିକ ବିଶୃଙ୍ଖଳା ସୃଷ୍ଟି ହେବାକୁ ଏଡ଼ାଇ ଦିଆଯାଇପାରୁନାହିଁ । ଦେଶରେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ସଂସ୍କାର ପାଇଁ କେନ୍ଦ୍ର ସରକାର ପ୍ରମୁଖ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ୍‌ର ମିଶ୍ରଣ କରିଛନ୍ତି । ଯାହାର ପରିଣାମ ଏବେ ଦେଖିବାକୁ ମିଳୁଛି । ବିଗତ ୫ ବର୍ଷରେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ୍‌ମାନଙ୍କରେ ୨୫ ହଜାରରୁ ଅଧିକ କର୍ମଚାରୀ ହ୍ରାସ ପାଇଛନ୍ତି ବା ଛଟେଇ ହୋଇଥିବା ଜଣାପଡ଼ିଛି ।

ସବୁଠାରୁ ଅଧିକ କର୍ମଚାରୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରୁ ହ୍ରାସ ପାଇଛନ୍ତି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ । ଏହି ବ୍ୟାଙ୍କର ଅବସ୍ଥା ଯେତେବେଳେ ବେହାଲ ସେତେବେଳେ ଅନ୍ୟ ବ୍ୟାଙ୍କ କଥା କ’ଣ କୁହାଯାଇପାରିବ ଓ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ସଂସ୍କାରରୁ କ’ଣ ଆଶା କରାଯାଇପାରିବ ? ୫ ବର୍ଷ ତଳେ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରୁଥିବା ବ୍ୟାଙ୍କ କର୍ମଚାରୀ ସଂଘ ଯାହା ଆଶଙ୍କା କରୁଥିଲା ତାହା ସତ୍ୟରେ ପରିଣତ ହୋଇଛି । ଏହି କାରଣରୁ ଆଗାମୀ ଦିନରେ ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନଙ୍କରୁ ଅଧିକରୁ ଅଧିକ କର୍ମଚାରୀ ଛଟେଇ ହେବା ବା ହ୍ରାସ ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

୨୦୧୮ରେ ଦେଶରେ ବିଭିନ୍ନ ରାଷ୍ଟ୍ରାୟାତ୍ତ ବ୍ୟାଙ୍କମାନଙ୍କରେ ୬ ଲକ୍ଷ ୧୫ ହଜାର ୧୪୪ ଜଣ କର୍ମଚାରୀ କାର୍ଯ୍ୟରତ ଥିବାବେଳେ ୨୦୨୨କୁ ସେହି କର୍ମଚାରୀଙ୍କ ସଂଖ୍ୟା ୫ ଲକ୍ଷ ୮୯ ହଜାର ୩୨୦କୁ ଖସିଆସିଛି । ଅର୍ଥାତ୍ ବିଗତ ୫ ବର୍ଷରେ ୨୫ ହଜାର ୮୨୪ ଜଣ ବ୍ୟାଙ୍କ କର୍ମଚାରୀ ହ୍ରାସ ପାଇଛନ୍ତି ବା ଛଟେଇ ହୋଇଛନ୍ତି । ଦେଶରେ ୨୦୧୭ ମସିହାରେ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହେଲା । ସେହିବର୍ଷ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ଭାରତୀୟ ମହିଳା ବ୍ୟାଙ୍କ୍‌ର ମିଶ୍ରଣ ହୋଇଥିଲା । ଏହାପରେ ୨୦୧୯ରେ ବ୍ୟାଙ୍କ ଅଫ୍ ବରୋଦାରେ ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ହେଲା ।

ସେହିପରି ୨୦୨୧ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍‌ କମର୍ସ ଓ ୟୁନାଇଟେ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ହୋଇଥିଲା । ସେହିବର୍ଷ କାନାଡ଼ା ବ୍ୟାଙ୍କ୍‌ରେ ସିଣ୍ଡିକେଟ୍ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କରେ ଆହ୍ଲାବାଦ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କ ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ବିକାନେର ଏବଂ ଜୟପୁର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାଦ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ମୈଶୁର, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ପଟିଆଲା ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ତ୍ରାଭାଙ୍କୋରର ମିଶ୍ରଣ ହୋଇଥିଲା । ୨୦୧୮ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ୨ ଲକ୍ଷ ୬୪ ହଜାର ୪୧ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ । ୨୦୨୨ରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ କର୍ମଚାରୀଙ୍କ ସଂଖ୍ୟା ରହିଛି ୨ ଲକ୍ଷ ୪୪ ହଜାର ୨୫୦ । ଅର୍ଥାତ୍ ୫ ବର୍ଷରେ ୧୯ ହଜାର ୭୯୧ ଜଣ କର୍ମଚାରୀ କାମରୁ ଅବସର ନେଇଛନ୍ତି ଅବା ଚାକିରି ଛାଡ଼ିଛନ୍ତି । ତାଙ୍କ ସ୍ଥାନରେ ନୂତନ ନିଯୁକ୍ତି କରାଯାଇ ନାହିଁ ।

ସେହିପରି ୨୦୧୮ରେ କାନାରା ବ୍ୟାଙ୍କରେ ୮୮ ହଜାର ୨୧୩ ଜଣ କର୍ମଚାରୀ ଥିବାବେଳେ ୨୦୨୨ରେ ଏହି ବ୍ୟାଙ୍କର କର୍ମଚାରୀ ସଂଖ୍ୟା ୮୬ ହଜାର ୯୧୯କୁ ହ୍ରାସ ପାଇଛି । ଅର୍ଥାତ୍ ୫ ବର୍ଷରେ କାନାରା ବ୍ୟାଙ୍କ୍‌ରୁ ୧ ହଜାର ୨୯୪ ଜଣ କର୍ମଚାରୀ କାମ ହରାଇଛନ୍ତି । ୨୦୧୮ରେ ବ୍ୟାଙ୍କ୍ ଅଫ ବରୋଦାରେ ୮୨ ହଜାର ୮୮୬ ଜଣ କର୍ମଚାରୀ ଥିବାବେଳେ ୨୦୨୨ରେ ୩,୦୮୦ ଜଣ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏବେ ବ୍ୟାଙ୍କ ଅଫ୍‌ ବରୋଦାରେ ୭୯ ହଜାର ୮୦୬ ଜଣ କର୍ମଚାରୀ ରହିଛନ୍ତି ।

ସେହିପରି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୨୦୧୮ରେ ୭୮ ହଜାର ୨୦୨ ଜଣ କର୍ମଚାରୀ ଥିଲେ । ୫ ବର୍ଷରେ ଏହି ବ୍ୟାଙ୍କରେ ୩,୦୦୧ କର୍ମଚାରୀ ହ୍ରାସ ହୋଇଛନ୍ତି । ଏବେ ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୭୫, ୨୦୧ ଜଣ କର୍ମଚାରୀ ରହିଛନ୍ତି । ପ୍ରମୁଖ ଜାତୀୟକରଣ ବ୍ୟାଙ୍କ୍‌ଗୁଡ଼ିକ ମଧ୍ୟରେ କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବିଗତ ୫ ବର୍ଷରେ କର୍ମଚାରୀଙ୍କ ସଂଖ୍ୟା ବଢ଼ିଛି । ୨୦୧୮ରେ ଏହି ବ୍ୟାଙ୍କର କର୍ମଚାରୀ ସଂଖ୍ୟା ୧ ଲକ୍ଷ ୧ ହଜାର ୮୦୨ ରହିଥିବାବେଳେ ୨୦୨୨ରେ ଏହି ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୩ ହଜାର ୧୪୪ରେ ପହଞ୍ଚିଛି । ଅର୍ଥାତ ୧ ହଜାର ୩୪୨ ଜଣ କର୍ମଚାରୀରେ ବୃଦ୍ଧି ଘଟିଛି ।