ଭାରତରେ ଖୁବଶୀଘ୍ର ହେବ ବୈଦ୍ୟୁତିକ ରାଜପଥ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତରେ ଖୁବଶୀଘ୍ର ବୈଦ୍ୟୁତିକ ରାଜପଥ ବା ଇଲେକ୍ଟ୍ରିକ ହାଇଓ୍ବେ ସେବା ଆରମ୍ଭ ହେବ। ଭାରତ ସରକାର ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଏକ ବୈଦ୍ୟୁତିକ ରାଜପଥ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ହାଇଡ୍ରୋଲିକ୍ ଟ୍ରେଲର ମାଲିକ ସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସୋମବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ଅଢେଇ ଲକ୍ଷ କୋଟି ଟଙ୍କାର ଟନେଲ ନିର୍ମାଣ କରୁଛନ୍ତି। ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ବୈଦ୍ୟୁତିକ ରାଜପଥ ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଏଥିରେ ଟ୍ରଲିବସ୍ ପରି ଆପଣ ଟ୍ରଲିଟ୍ରକ୍ ମଧ୍ୟ ଚଲାଇ ପାରିବେ। ପ୍ରଦୂଷଣକୁ ରୋକିବା ପାଇଁ ଇଥାନଲ, ମିଥାନଲ ଏବଂ ଗ୍ରୀନ ହାଇଡ୍ରୋଜେନ ଭଳି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ସେ ଭାରୀ ଯାନ ମାଲିକମାନଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ବୈଦ୍ୟୁତିକ ରାଜପଥ ସାଧାରଣତଃ ଏକ ସଡକକୁ ବୁଝାଏ, ଯାହା ଓଭରହେଡ୍ ପାୱାର୍ ଲାଇନ୍ ମାଧ୍ୟମରେ ଏହା ଉପରେ ଯାଉଥିବା ଯାନଗୁଡ଼ିକୁ ବିଦୁତ ଶକ୍ତି ଯୋଗାଇଥାଏ | ପ୍ରଦୂଷଣ ହ୍ରାସ କରିବା ଏବଂ ଦକ୍ଷତା ବୃଦ୍ଧି କରିବା ପାଇଁ ଗାଡକରୀ ଇଲେକ୍ଟ୍ରିକ୍ ରାଜପଥରେ ଟ୍ରଲି ବସ ବା ଡବଲ ଡେକର ବସ ପରି ଟ୍ରଲି ଟ୍ରକ୍ ଚଳାଇବାକୁ ଲକ୍ଷ୍ୟ ରଖିଛି।