୨୦୨୩ରେ ଭାରତର ଜନସଂଖ୍ୟା ଚୀନ୍‌କୁ ଟପିବ

ନୂଆଦିଲ୍ଲୀ (ସଂକେତ ଟିଭି): ଜନସଂଖ୍ୟାରେ ଆସନ୍ତା ବର୍ଷ ଭାରତ ଚୀନ୍‌କୁ ଟପି ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ହୋଇପାରେ । ଚଳିତବର୍ଷ ନଭେମ୍ବର ମଧ୍ୟଭାଗ ସୁଦ୍ଧା ବିଶ୍ୱ ଜନସଂଖ୍ୟା ମଧ୍ୟ ୮୦୦ କୋଟିକୁ ଛୁଇଁପାରେ ବୋଲି ଜାତିସଂଘର ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏସିଆ ଏବେ ସର୍ବାଧିକ ଜନବହୁଳ ମହାଦେଶ ରହିଛି । ଏସିଆରେ ୪.୭ ବିଲିୟନ୍‌ ଜନସଂଖ୍ୟା । ଯାହା ସମଗ୍ର ବିଶ୍ୱ ଜନସଂଖ୍ୟାର ୬୧% । ସେହିଭଳି ଆଫ୍ରିକା ମହାଦେଶରେ ବିଶ୍ୱ ଜନସଂଖ୍ୟାର ୧୭% ଥିବାବେଳେ ୟୁରୋପରେ ୧୦%, ଲାଟିନ୍‌ ଆମେରିକାରେ ୮% ରହିଛି । ସେହିଭଳି ଉତ୍ତର ଆମେରିକାରେ ୫% ଅଛି ।

ବିଶ୍ୱ ଜନସଂଖ୍ୟା ରିପୋର୍ଟ ୨୦୧୯ ଅନୁଯାୟୀ ଚୀନ୍‌ର ଜନସଂଖ୍ୟା ୧.୪୪ ବିଲିୟନ୍‌ ଥିବାବେଳେ ଭାରତର ଜନସଂଖ୍ୟା ୧.୩୯ ବିଲିୟନ୍‌ ରହିଛି । ଏହି ଦୁଇଟି ଦେଶ ହେଉଛନ୍ତି ବିଶ୍ୱର ସବୁଠୁ ଜନବହୁଳ ଦେଶ । ଏହି ଦୁଇ ଦେଶରେ ବିଶ୍ୱର ମୋଟ୍‌ ଜନସଂଖ୍ୟାର ୧୯% ଓ ୧୮% ହୋଇଥିବା ଜଣାପଡିଛି । ୨୦୨୩ ସୁଦ୍ଧା ଭାରତର ଜନସଂଖ୍ୟା ଚୀନ୍‌କୁ ଅତିକ୍ରମ କରିବ । ଚୀନ୍‌ର ଜନସଂଖ୍ୟା ୩୧.୪ ନିୟୁତ ତଥା ୨.୨% ୨୦୧୯ ରୁ ୨୦୫୦ ମଧ୍ୟରେ ହ୍ରାସ ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

୨୦୨୦ରେ ୧% ହ୍ରାସ ପାଇ ୧୯୫୦ ମସିହାରୁ ବିଶ୍ୱ ଜନସଂଖ୍ୟା ସବୁଠୁ ମନ୍ଥର ଗତିରେ ବୃଦ୍ଧି ପାଉଛି । ଏହି ହାରରେ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮.୫୦୦ କୋଟି ଓ ୨୦୫୦ ବେଳକୁ ୯.୭୦୦ କୋଟି ହୋଇଥିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ଜାତିସଂଘର ମହାସଚିବ ଆଣ୍ଟିନୋ ଗୁଟ୍ରେୟସ୍‌ କହିଛନ୍ତି ଯେ ଆମେ ଆମ ବାସସ୍ଥଳୀର ଦାୟିତ୍ୱ ନେବା ଆବଶ୍ୟକ । ଆମେ ପରସ୍ପର ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଆବଶ୍ୟକ ।