ଆରଡି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଭୁବନେଶ୍ୱର-ଢେଙ୍କାନାଳରେ ୨୮ଟି ପ୍ଲଟ୍ ଠାବ

ଭୁବନେଶ୍ବର (ସଂକେତ ଟିଭି): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ନିମାପଡ଼ାରେ କାର୍ଯ୍ୟରତ ଆରଡି ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଘରେ ଭିଜିଲାନ୍ସ ବିଭାଗର ରେଡ ହୋଇଛି । ଏହି ସମୟରେ ଭୁବନେଶ୍ୱର ଓ ଢେଙ୍କାନାଳରେ ତାଙ୍କର ୨୮ଟି ପ୍ଲଟ ଥିବା ଜଣାପଡିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଭିଜିଲାନ୍ସର ୫ଟି ଟିମ୍‌ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି । ନିମାପଡା, ଭୁବନେଶ୍ୱରର ଦୁଇଟି ସ୍ଥାନ, ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଦଖିଣକାଳୀର ଦୁଇଟି ସ୍ଥାନ ଓ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁନଦେଈ ଗ୍ରାମରେ ପୈତୃକ ଘରେ ଭିଜିଲାନ୍ସ ଛାନଭିନ କରୁଛି । ଏହି ଚଢାଉରେ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିଛି । ଖାସ୍‌ କରି ଭୁବନେଶ୍ବର ଓ ଢେଙ୍କାନାଳରେ ୨୮ଟି ପ୍ଲଟ ଠାବ ହୋଇଛି । ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ୭ଟି ଏବଂ ଢେଙ୍କାନାଳରେ ୨୧ଟି ପ୍ଲଟ ଠାବ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସେହିପରି ଘରୁ ନଗଦ ୧ ଲକ୍ଷ ୫୮ ହଜାର ଟଙ୍କା ନଗଦ ଟଙ୍କା ଜବତ ହୋଇଛି । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ତିନି ମହଲା ବିଲ୍ଡିଂ, ଢେଙ୍କାନାଳ ଟାଉନରେ ୨ଟି ବିଲ୍ଡିଂ, ଢେଙ୍କାନାଳ ମୋଟଙ୍ଗା ଗୁନାଦେଈରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି । ଏହାବାଦ୍ ରେଡ୍‌ରେ ୪୭ ଲକ୍ଷ ୬୫ ହଜାର ଟଙ୍କାର ବ୍ୟାଙ୍କ ଓ ଇନସ୍ୟୁରାନ୍ସ ଡିପୋଜିଟ୍ ମିଳିଛି । ୧୧ ଲକ୍ଷ ଟଙ୍କାର ଗୋଟିଏ ୪ ଚକିଆ ଗାଡି ଏବଂ ୨ଟି ଦୁଇ ଚକିଆ ଗାଡି ଜବତ ହୋଇଛି ।