ସିନିୟର୍ କ୍ରିକେଟରଙ୍କ ଉପରେ ବର୍ଷିଲେ ଗାଭାସ୍କର

ନୂଆଦିଲ୍ଲୀ: (ସଂକେତ ଟିଭି) ୱେଷ୍ଟଇଣ୍ଡିଜ ଏବଂ ଭାରତ ମଧ୍ୟରେ ଆସନ୍ତା ଜୁଲାଇ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦିନିକିଆ ଏବଂ ଟ୍ୱେଣ୍ଟି ଟ୍ୱେଣ୍ଟି ସିରିଜ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଖେଳାଳି ଚୟନକୁ ନେଇ ବିବାଦ ଦେଖାଦେଇଛି । ୱେଷ୍ଟଇଣ୍ଡିଜ ବିକ୍ଷ ସିରିଜରୁ ବରିଷ୍ଠ ଖେଳାଳିଙ୍କୁ ବାଦ୍ ଦେବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରାହ ଏବଂ ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଇଣ୍ଡିଜ୍ ସିରିଜରେ ବିଶ୍ରାମ ଦିଆଯାଇଛି । ଶିଖର ଧାୱନଙ୍କ ନେତୃତ୍ୱରେ
ଖେଳିବ ଟିମ୍ ଇଣ୍ଡିଆ । କିନ୍ତୁ ଏବେ ଦଳରେ ବରିଷ୍ଠ ଖେଳାଳିଙ୍କ ପ୍ରତିବଦ୍ଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି, “କ୍ରିକେଟର ମାନେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଆରାମ ନେଉଛନ୍ତି କିନ୍ତୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ବିନା କୌଣସି ବ୍ରେକରେ ଖେଳୁଛନ୍ତି । ଏଥିରେ ଅନ୍ତତଃ ମୁଁ ସହମତ ନାହିଁ । ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ଆଇପିଏଲରେ କାହିଁକି ଆରାମ ନେଉନାହାନ୍ତି?’

ଗାଭାସ୍କର କହିଛନ୍ତି,”ଖେଳାଳିମାନଙ୍କୁ ବିଶ୍ରାମ ଦେବାର ତରିକା ଭିନ୍ନ । ମୁଁ ଏଥିରେ ଆଦୌ ସହମତ ନୁହେଁ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ବିନା ବିଶ୍ରାମରେ ଖେଳୁଥିବା କ୍ରିକେଟର ଭାରତ ପାଇଁ ଖେଳିବା ସମୟରେ କାହିଁକି ବିଶ୍ରାମ ଆବଶ୍ୟକ ହେଉଛି? କାହିଁକି ଅନ୍ତର୍ଜାତୀୟ ମ୍ୟାଚ୍ ବେଳେ ବରିଷ୍ଠଙ୍କୁ ଛୁଟି ଦରକାର ପଡୁଛି? ଭାରତ ପାଇଁ ଆପଣଙ୍କୁ ଖେଳିବାକୁ ହେବ । ଆରାମ କଥା କହିବା ଉଚିତ ନୁହେଁ ।

ସେ ଆହୁରି ମଧ୍ୟ କହିଛନ୍ତି, ଟ୍ୱେଣ୍ଟି ଟ୍ୱେଣ୍ଟିରେ ଗୋଟିଏ ଇଂନିସ ମାତ୍ର ଦେଢ ଘଣ୍ଟା ସମୟ ନେଇଥାଏ । ଏଥିରେ ଖେଳାଳିଙ୍କ ଶରୀରରେ ସେଭଳି କୌଣସି ପ୍ରଭାବ ପଡିନଥାଏ । କେବଳ ଦିନିକିଆ ଏବଂ ଟେଷ୍ଟ ମ୍ୟାଚରେ ଉଭୟ ମାନସିକ ଏବଂ ଶାରୀରିକ ଚାପ ପଡିଥାଏ । କିନ୍ତୁ ଟି-୨୦ କ୍ରିକେଟରେ ସେଭଳି ସମସ୍ୟା ଦେଖାଦେଇନଥାଏ । ତେଣୁ ବିଶ୍ରାମ କଥା ଆସୁଛି କେଉଁଠୁ? ବିସିସିଆଇ ଏଥିରେ ହସ୍ତକ୍ଷେପ କରିବା ଉଚିତ । ଏହି ନୀତିକୁ ତୁରନ୍ତ ବଦଳାଯିବା ଆବଶ୍ୟକ । ଗ୍ରେଡ୍‌- ଏ ର ଖେଳାଳିଙ୍କୁ ଭଲ ଅର୍ଥ ମିଳୁଛି । ପ୍ରତି ମ୍ୟାଚ ପାଇଁ ମଧ୍ୟ ଅଧିକ ଟଙ୍କା ମିଳିଥାଏ । କିନ୍ତୁ ସେହିମାନଙ୍କୁ ଏତେ ଛୁଟିର ଆବଶ୍ୟକତା କାହିଁକି ହେଉଛି ? ଏହି କ୍ଷେତ୍ରରେ ବିସିସିଆଇ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ।