ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଆଇଏସଆଇଏସର ସିରିୟା ମୁଖ୍ୟ ମୃତ

ନୂଆଦିଲ୍ଲୀ (ସଂକେତ୍ ଟିଭି ) ଆମେରିକାର ଡ୍ରୋନ୍‌ ଆଟାକ୍‌ରେ ଆଇଏସଆଇଏସ୍‌ର ସିରିୟା ମୁଖ୍ୟ ମୃତ୍ୟୁବରଣ କରିଛି । ଏନେଇ ଆମେରିକାର ପ୍ରତିରକ୍ଷା ବିଭାଗ ( ପେଣ୍ଟାଗନ୍‌ ) ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ଆମେରିକା ତୁର୍କୀ ସୀମାନ୍ତ ସିରିୟାର ଉତ୍ତର-ପଶ୍ଚିମ ଜିନ୍ଦ୍ରିସ୍‌ ଅଞ୍ଚଳରେ ଆକ୍ରମଣ କରିଥିଲା। ଏହି ଡ୍ରୋନ୍‌ ଆଟାକ୍‌ରେ ଆଇଏସଆଇଏସ୍‌ର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି । ଏହାସହିତ ଆଇଏସଆଇଏସ୍‌ର ଆଉ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଗୁରୁତର ହୋଇଛି । ତେବେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମ ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।

ସେପଟେ ଆମେରିକା ପକ୍ଷରୁ ହୋଇଥିବା ଏହି ଡ୍ରୋନ ଆକ୍ରମଣରେ କୌଣସି ସାଧାରଣ ଲୋକ ମୃତାହତ ହୋଇନାହାନ୍ତି ବୋଲି କୁହାଯାଇଛି । କିନ୍ତୁ ଏବେ ଯାଏଁ ସାଧାରଣ ଲୋକ କେତେ ପରିମାଣରେ ମୃତାହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ଜିନ୍ଦ୍ରିସ୍‌ ଅଞ୍ଚଳକୁ ନିଜ ଅକ୍ତିଆର୍‌କୁ ନେଇଯାଇଥିଲା। ୪୦ ହଜାର ବର୍ଗ କିମି ଅଞ୍ଚଳରେ ବାସ କରୁଥିବା ୮୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଆଇଏସଆଇଏସ୍‌ ନିଜର ଏକଛତ୍ରବାଦୀ ଶାସନ ଚଳାଇଥିଲା । କିନ୍ତୁ ୨୦୧୯ ପରଠୁ ଧୀରେ ଧୀରେ ଏହି ଅଞ୍ଚଳରେ ଆଇଏସଆଇଏସ୍‌ ପତନ ଆରମ୍ଭ ହୋଇଥିଲା । ସେପଟେ ଆମେରିକା ଲଗାତର ଭାବେ ଏହିସବୁ ଅଞ୍ଚଳରେ ନିଜର ଦବ୍‌ଦବା ଜାହିର କରିଆସୁଥିଲେ ।