ପାକିସ୍ତାନ ଟି-୨୦ ବିଶ୍ୱକପ୍ ଜିତିବା ସୁଯୋଗ ରହିଛି: ୱାକର ୟୁନିସ

ଇସଲାମାବାଦ୍ (ସଂକେତ ଟିଭି): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ୱାକର ୟୁନିସ କହିଛନ୍ତି ଯେ ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ କ୍ରିକେଟ ବିଶ୍ୱକପରେ ପାକିସ୍ତାନ ଚାମ୍ପିଅନ ହେବା ପାଇଁ ସୁଯୋଗ ରହିଛି । କାରଣ ଅଷ୍ଟ୍ରେଲିଆ ପିଚ ପାକିସ୍ତାନ ବୋଲରଙ୍କୁ ବିଶେଷ ଭାବେ ସୁହାଇବ । ଦଳରେ ଏକାଧିକ ମ୍ୟାଚ ବିଜୟୀ ବୋଲର ମହଜୁଦ ଅଛନ୍ତି । ସେମାନେ ବରାବର ପ୍ରତିପକ୍ଷ ଦଳର ବ୍ୟାଟରଙ୍କୁ ନିୟନ୍ତ୍ରଣରେ ବାନ୍ଧି ରଖିବା କ୍ଷମତା ରଖିଛନ୍ତି ।

ଆଇସିସି ଡିଜିଟାଲ ସହିତ ଆଲୋଚନା କରିବା ବେଳେ ୟୁନିସ କହିଛନ୍ତି ଯେ ଅଷ୍ଟ୍ରେଲିଆ ପିଚରେ ପାକିସ୍ତାନ ବ୍ୟାଟର ମାନେ ଭଲ ପ୍ରଦର୍ଶନ କରିବା ସୁଯୋଗ ପାଇବେ । କାରଣ ଦଳର ବ୍ୟାଟିଂ ଲାଇନ ମଜଭୂତ । ପାକିସ୍ତାନ ସଂପ୍ରତି ଆଇସିସି ମାନ୍ୟତାର ତୃତୀୟ ସ୍ଥାନରେ ରହିଛି । ଗତ ୧୨ ମାସ ମଧ୍ୟରେ ଦଳର ପ୍ରଦର୍ଶନ ଅତି ପ୍ରଶଂସନୀୟ ହୋଇ ପାରିଛି । ଗତ ବର୍ଷ ଅନୁଷ୍ଠିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ପ୍ରାରମ୍ଭରୁ ଅତି ଭଲ ଖେଳି ଶେଷ ପର୍ଯ୍ୟାୟ ମୁକାବିଲାରେ ପହଞ୍ଚି ପାରିଥିଲା । ମାତ୍ର ଅଷ୍ଟ୍ରେଲିଆ ନିକଟରୁ ସେମିଫାଇନାଲରେ ହାରିବା ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ତେବେ ଏହି ମ୍ୟାଚରୁ ଦଳ ଯେଉଁ ଶିକ୍ଷା ଲାଭ କରିଛି ତାହା ଚଳିତ ବର୍ଷର ବିଶ୍ୱକପରେ କାର୍ଯ୍ୟକାରୀ କରିବ ।

ସେହିପରି ଅଧିନାୟକ ବରବର ଆଜାମ ଦଳ ପାଇଁ ବଡ ଯୋଗଦାନ ଦେବା ଲକ୍ଷ୍ୟରେ ଅଛନ୍ତି । ଅନ୍ୟ ଖେଳାଳି ମାନେ ମଧ ଦଳକୁ ବିଶ୍ୱକପ ବିଜୟୀ କରାଇବା ପାଇଁ ଦକ୍ଷ ବୋଲି ୟୁନିସ କହିଛନ୍ତି ।