୪୫ ବନ୍ଧୁକ ଜବତ ସହ ଏୟାରପୋର୍ଟରୁ ଦମ୍ପତି ଗିରଫ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ ଦମ୍ପତିଠାରୁ ମିଳିଛି ୪୫ଟି ବନ୍ଧୁକ । ଦିଲ୍ଲୀରେ ଥିବା ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦମ୍ପତିଙ୍କ ଠାରୁ ଏତେ ପରିମାଣର ବନ୍ଧୁକ ଜବତ କରିଛି କଷ୍ଟମ ବିଭାଗ । ଏବେ ଜବତ ବନ୍ଧୁକ ଗୁଡ଼ିକ ଅସଲି କି ନକଲି, ତା’ର ତଦନ୍ତ କରାଯାଉଛି । ଆତଙ୍କବାଦୀ ନିରୋଧକ ୟୁନିଟ ଏନଏସଜି ଏହି ମାମଲାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତୁ ଜବତ ବନ୍ଧୁକ ଗୁଡ଼ିକ ଅସଲି ବୋଲି ଏନସିଜି ପକ୍ଷରୁ କୁହାଯାଇଛି । ହେଲେ ଦମ୍ପତି ଏତେ ପରିମାଣର ବନ୍ଧୁକ କାହିଁକି ଆଣିଥିଲେ, ତାହା ଏବେ ବଡ଼ ପ୍ରଶ୍ନ ।

ଏୟାରପୋର୍ଟରୁ ବନ୍ଧୁକ ସହ ଧରାପଡ଼ିଥିବା ଜଗଜିତ ସିଂହ ଓ ଯଶବିନ୍ଦର କୌରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଏହି ଦମ୍ପତି ଜୁଲାଇ ୧୦ରେ ଭିଏତନାମରୁ ଦିଲ୍ଲୀ ଆସିଥିଲେ । ଏୟାରପୋର୍ଟରେ ଜଗଜିତ ସିଂହ ଦୁଇଟି ଟ୍ରଲି ବ୍ୟାଗରେ ବନ୍ଧୁକ ନେଇ ଯାଉଥିବା ବେଳେ ଧରାପଡ଼ିଛନ୍ତି । ଏହି ବ୍ୟାଗ ତାଙ୍କୁ ତାଙ୍କର ଭାଇ ମନଜୀତ ସିଂହ ଦେଇଥିଲେ । ମନଜୀତ ଫ୍ରାନ୍ସର ପ୍ୟାରିସରୁ ଆସି ଭିଏତନାମରେ ଓହ୍ଲାଇଥିଲେ । ଏହି ସମୟରେ ସେଠାରେ ଥିବା ଭାଇ ଜଗଜିତ ସିଂହ ଦୁଇଟି ଯାକ ବ୍ୟାଗ ହସ୍ତାନ୍ତର କରିଥିଲେ । ସେଠାରୁ ଜଗଜିତ ଦୁଇଟି ଯାକ ବ୍ୟାଗକୁ ଭାରତ ଆଣିଥିଲେ । ଜବତ ୪୫ଟି ବନ୍ଧୁକର ଦାମ ୨୨, ୫୦,୦୦୦ ହେବ ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ଦମ୍ପତି ତୁର୍କୀରୁ ୨୫ଟି ବନ୍ଧୁକ ଭାରତ ଆଣିଥିବା ସ୍‌ୱୀକାର କରିଛନ୍ତି । ଏବେ ସେମାନେ କ’ଣ ପାଇଁ ଏତେ ପରିମାଣର ବନ୍ଧୁକ ଭାରତ ଆଣିଥିଲେ, ତା’ର ତଦନ୍ତ କରାଯାଉଛି ।