ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ମାରି ଲୁଟିଲେ ଦୁର୍ବୃତ୍ତ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ସୋର ପାଇକାଳି ନିକଟରେ ଥିବା ପେଟ୍ରୋଲ ପମ୍ପ ଭଙ୍ଗା ରୁଜା ଓ କର୍ମଚାରୀଙ୍କୁ ମାଡ ମାରି ଟଙ୍କା ଲୁଟିନେଲେ ଦୁର୍ବୁତ୍ତ । ସୋର ୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲିଆନ୍ସ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତ ମାନେ ଏପରି ଏକ କାଣ୍ଡ ଭିଆଇଛନ୍ତି ।

ସୂଚନା ଅନୁସାରେ, ପେଟ୍ରୋଲ ପମ୍ପରେ ତିନି ଜଣ ଯୁବକ ତେଲ ପକାଇବାକୁ ଆସିଥିଲେ । ତେଲ ପକାଇସାରିବା ପରେ ଟଙ୍କା ଚେଞ୍ଜକୁ ନେଇ ବଚସା ହୋଇଥିଲା । ପରେ ସେମାନେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହିତ ଅଫିସରେ ଲାଗିଥିବା କାଚ ଭାଙ୍ଗି ତିରିଶ ହଜାର ଟଙ୍କାରୁ ଅଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଆହତ ହୋଇଥିବା ପମ୍ପର ଦୁଇ କର୍ମଚାରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସିସି କ୍ୟାମେରାରେ କଏଦ ହୋଇଛି । ଏନେଇ ଖବର ପାଇବା ପରେ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।