ଏ ବର୍ଷ ବି ହେବନାହିଁ ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ବର (ସଂକେତ ଟିଭି): ଚଳିତ ବର୍ଷ ରାଜ୍ୟର କୌଣସି କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ପାଇଁ ପାଠପଢ଼ାରେ ବ୍ୟାଘାତ ଘଟିଥିବାରୁ ବରଂ ଯେଉଁଭଳି ପାଠପଢ଼ା ଚାଲିଛି ତାହା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଅଗଷ୍ଟ ମାସରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବ । ଜୁଲାଇ ଶେଷ ସୁଦ୍ଧା ସ୍ନାତକୋତ୍ତର ସେମିଷ୍ଟାର ପରୀକ୍ଷା ସାରିଦେବାକୁ ପରାମର୍ଶ ଦିଆଯାଇଛି ।

ଯଦି କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରସଂସଦ ନିର୍ବାଚନ କରାଯାଏ ତେବେ କ୍ୟାମ୍ପସରେ ଅଶାନ୍ତକର ପରିସ୍ଥିତି ସୃଷ୍ଟି ହେବା ସହ ଛାତ୍ରଗୋଷ୍ଠୀ ମଧ୍ୟରେ ମତାନ୍ତର ଓ ମନାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି । ନିର୍ବାଚନକୁ ନେଇ କ୍ୟାମ୍ପସରେ ହଣାକଟା ଓ ବୋମାମାଡ଼ ଭଳି ଅଭାବନୀୟ ଘଟଣାମାନ ଘଟିଚାଲିଛି । ନିର୍ବାଚନ ପାଇଁ ପାଖାପାଖି ଦେଢ଼ମାସ ପର୍ଯ୍ୟନ୍ତ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଛାତ୍ରଛାତ୍ରୀମାନେ କ୍ଲାସ୍‌କୁ ଆସୁନାହାନ୍ତି । ବହୁ ଛାତ୍ରଛାତ୍ରୀ ସଂଗଠନରୁ ଦୂରେଇ ଯାଉଛନ୍ତି ।

ଉଚ୍ଚ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଛାତ୍ରସଂସଦ ନିର୍ବାଚନ ନେଇ ଆମେ ଆଦୌ ଚିନ୍ତା କରିନାହୁଁ । କରୋନା ସଂକ୍ରମଣ ଯୋଗୁଁ ୨ଟି ଶିକ୍ଷାବର୍ଷ ପ୍ରଭାବିତ ହୋଇଛି । ଅଢ଼େଇ ବର୍ଷ ହେବ କ୍ଲାସ୍ କିମ୍ବା ଶିକ୍ଷାବର୍ଷ ସ୍ୱାଭାବିକ ଭାବେ ଚାଲିପାରୁ ନାହିଁ । ବର୍ତ୍ତମାନ ସୁଦ୍ଧା +୩ ଓ ପିଜି ପାଠ୍ୟକ୍ରମର ସେମିଷ୍ଟର ପରୀକ୍ଷାଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରୁ ନାହିଁ । କ୍ଲାସ୍‌ରୁମ୍ ପାଠପଢ଼ା ଚାଲିଥିଲେ ବି କରୋନାର ୪ର୍ଥ ଲହର ଆରମ୍ଭ ହୋଇଥିବାରୁ ପିଲାଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି । କରୋନା ସ୍ଥିତିରେ ଯେଉଁଭଳି ପାଠପଢ଼ା ବ୍ୟାହତ ହୋଇଥିଲା ସେଥିରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିବା ପାଇଁ ଆହୁରି ଦେଢ଼ ବର୍ଷ ଆବଶ୍ୟକ । ଏଭଳି ସମୟରେ ଛାତ୍ର ସଂସଦ ନିର୍ବାଚନ କରିବା ଆଦୌ ସମ୍ଭବପର ନୁହେଁ ବୋଲି ଏହି ଅଧିକାରୀ ଜଣକ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷକୁ ମିଶାଇ ଲଗାତାର ୫ ବର୍ଷ ଧରି ଏହି ନିର୍ବାଚନ ବନ୍ଦ ହେବାକୁ ଯାଉଛି । ୨୦୧୮ରେ ବାତ୍ୟା ତିତିଲି ପାଇଁ ଅଧାରୁ ନିର୍ବାଚନ ବନ୍ଦ କରାଯାଇଥିଲାବେଳେ ୨୦୧୯ରେ ବିଶ୍ୱ ବିଦ୍ୟାଳୟ କୁଳପତି, ଡ୍ରିଗୀ କଲେଜ ଅଧ୍ୟକ୍ଷ ଓ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷଙ୍କ ସୁାରିଶକୁ ଗ୍ରହଣ କରାଯାଇ ନିର୍ବାଚନକୁ ବନ୍ଦ ରଖାଯାଇଥିଲା । ସେହିରି ୨୦୨୦ ଓ ୨୧ରେ କରୋନା ସଂକ୍ରମଣ ପାଇଁ ନିର୍ବାଚନ ବନ୍ଦ ରହିଥିଲା ।