ବିରାଟ କୋହଲିଙ୍କ ତ୍ରୁଟି ଧରିଲେ ଗାଭାସ୍କର

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଫଳତା ଧାରା ଜାରି ରହିଛି । ୨୦୧୯ ମସିହା ପରଠାରୁ ଗୋଟିଏ ହେଲେ ବି ଶତକ ଅର୍ଜନ କରିନଥିବା କୋହଲି ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟେଷ୍ଟରେ ବି ନିରାଶ କରିଥିଲେ । ଏହି ମ୍ୟାଚ୍ ର ଉଭୟ ପାଳିରେ ଯଥାକ୍ରମେ ୧୧ ଓ ୨୦ ରନ୍ କରିଥିଲେ ସେ । କୋହଲିଙ୍କ ଭଳି ଜଣେ ବିଶ୍ୱସ୍ତରୀୟ ବ୍ୟାଟର୍ ଏଭଳି ଲଗାତାର ଭାବେ ବିଫଳ ହେବା ତାଙ୍କ ପ୍ରଶଂସକଙ୍କୁ ଘୋର ନିରାଶ କରିଛି ।

କ୍ରିକେଟ୍ ବିଶେଷଜ୍ଞମାନେ ମଧ୍ୟ ତାଙ୍କୁ ନେଇ ଚିନ୍ତା ପ୍ରକଟ କରିବା ଆରମ୍ଭ କରି ଦେଲେଣି । ଏପରିକି ତାଙ୍କୁ ନାନା ଆଡୁ ନାନା ପରାମର୍ଶ ଆସୁଛି । କେହି କିନ୍ତୁ କୋହଲିଙ୍କ ଏହି ବିଫଳତା ଧାରାର ଅସଲ କାରଣ ଖୋଜି ପାଉନାହାନ୍ତି । ଏଭଳି ସ୍ଥିତିରେ ତାଙ୍କ ବ୍ୟାଟିଂରେ ଥିବା ତ୍ରୁଟିକୁ ଧରିବାକୁ ଚେଷ୍ଟା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ।

ଗାଭାସ୍କର କହିଛନ୍ତି ଇଂଲଣ୍ଡରେ ଆପଣ ଯେତେ ବିଳମ୍ବରେ ସଟ୍‌ ଖେଳିବେ ସେତେ ଭଲୟ ବଲ୍ ସୁଇଂ ହେବା ପରେ ସଟ୍ ଖେଳୁଥିବା ବ୍ୟାଟର୍‌ ହିଁ ସୁରକ୍ଷିତ ରୁହନ୍ତି । ଏଜବାଷ୍ଟନ୍‌ ଟେଷ୍ଟର ହାଇଲାଇଟ୍ସ ଦେଖି ମୁଁ ଯାହା ଜାଣିଛି ସେଥିରୁ ଅନୁମାନ କରି ପାରୁଛି ଯେ କୋହଲି ବଲ୍ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଥିଲେ । କେବେ କେବେ ଆଗୁଆ ସଟ୍ ବି ଖେଳୁଥିଲେ । ଇଂଲଣ୍ଡ ଏହି ଟେଷ୍ଟରେ ୩୭୮ ରନର ବିଶାଳ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେବା ଏକ ଚିନ୍ତାର କାରଣ ବୋଲି ମଧ୍ୟ ମତ ରଖିଛନ୍ତି ଗାଭାସ୍କର ।

ମୁଁ ଭାବୁଛି ଭାରତୀୟ ବୋଲର ଭିନ୍ନ କୋଣରୁ ବୋଲିଂ କରିବା ଆଦୌ ପ୍ରୟାସ କରି ନଥିଲେ । କେବେ କେବେ ଓଭର ଦି ୱିକେଟ୍ ବୋଲିଂ କରିବା ଭଲ ହୋଇଥାଏ । ସେହିଭଳି ଭିନ୍ନ ଏଣ୍ଡ୍ରୁ ବୋଲିଂ ପରିବର୍ତ୍ତନ କଲେ ହୁଏତ ସୁଫଳ ମିଳିପାରିଥାନ୍ତା । ଅବଶ୍ୟ ଆମ ବୋଲରମାନେ ସବୁକିଛି କରିଥିଲେ, ହେଲେ ଇଂଲଣ୍ଡ ଭଲ ବ୍ୟାଟିଂ କଲା ।