ଶ୍ୱଶୁରଙ୍କଠାରୁ ମଧ୍ୟ ଭରଣପୋଷଣ ଦାବି କରିପାରିବେ ବିଧବା ମହିଳା

ରାୟପୁର (ସଂକେତ ଟିଭି): ଯଦି ଜଣେ ହିନ୍ଦୁ ବିଧବା ତାଙ୍କ ଆୟ କିମ୍ବା ଅନ୍ୟାନ୍ୟ ସମ୍ପତ୍ତିରେ ବଞ୍ଚିବାରେ ଅସମର୍ଥ ତେବେ ସେ ତାଙ୍କ ଶ୍ୱଶୁରଙ୍କଠାରୁ ଭରଣପୋଷଣ ଦାବି କରିପାରିବେ । ବୋହୂର ଭରଣପୋଷଣ ସମ୍ପର୍କରେ ଛତିଶଗଡ଼ର ବିଳାସପୁର ହାଇକୋର୍ଟ ଏହି ବଡ ରାୟ ଦେଇଛନ୍ତି ।

ଜଷ୍ଟିସ ଗୌତମ ଭଦୁରୀ ଓ ଜଷ୍ଟିସ ଦୀପକ କୁମାର ତିୱାରୀଙ୍କ ଡିଭିଜନ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା । କୋର୍ଟ କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ୱଶୁର ତାଙ୍କ ବୋହୂକୁ ଘରୁ ବାହାର କରିଦିଅନ୍ତି କିମ୍ବା ମହିଳା ଅଲଗା ରୁହନ୍ତି, ତା’ହେଲେ ସେ ଭରଣପୋଷଣ ପାଇଁ ଆଇନଗତ ଅଧିକାର ପାଇବେ ।

ଶାଶୁଙ୍କ ଆବେଦନକୁ ବିଲାସପୁର ହାଇକୋର୍ଟ ମଧ୍ୟ ଖାରଜ କରିଦେଇଛନ୍ତି । ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏହି ନିଷ୍ପତ୍ତି ଏକ ଉଦାହରଣ ହେବ । ପାରିବାରିକ କୋର୍ଟର ନିର୍ଦ୍ଦେଶକୁ ଜଣେ ମହିଳାଙ୍କ ଶ୍ୱଶୁର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ସମସ୍ତ ପକ୍ଷର ଶୁଣାଣି ପରେ ହାଇକୋର୍ଟ ପରିବାର କୋର୍ଟର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ୨୫୦୦ ଟଙ୍କା ଭରଣପୋଷଣ ପାଇଁ ପରିବାର କୋର୍ଟର ଆଦେଶ ବଦଳାଇଥିବାବେଳେ ବୋହୂଙ୍କୁ ମାସିକ ୪୦୦୦ ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନ ଅନୁଯାୟୀ, କୋରବା ନିବାସୀ ବାଳିକା ୨୦୦୮ ମସିହାରେ ଜାନଜଗିର-ଚମ୍ପା ଜିଲ୍ଲାର ବିରା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ୨୦୧୨ ରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା । ଶାଶୁ ମହିଳାଙ୍କୁ ଘରୁ ବାହାର କରି ଦେଇଥିଲେ, ଏହା ପରେ ସେ ତାଙ୍କ ମା’ଙ୍କ ଘରେ ରହିବାକୁ ଲାଗିଥିଲେ । ବିଧବା ଜଣକ ୨୦୧୫ ରେ ଜାନଜଗିର ପରିବାର କୋର୍ଟରେ ଅଭିଯୋଗ କରିଥିଲେ ଓ ଶାଶୁଘର ପକ୍ଷରୁ ଭରଣପୋଷଣ ମାଗିଥିଲେ । ବିଧବା ମହିଳାଙ୍କ ସପକ୍ଷରେ ଭରଣପୋଷଣ କରିବାକୁ କୋର୍ଟ ରାୟ ଦେଇଥିଲେ । ଏହାପରେ ପରିବାର କୋର୍ଟର ଆଦେଶକୁ ବିଧବାଙ୍କ ଶ୍ୱଶୁର ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।