ରାଷ୍ଟ୍ରପତି ପ୍ରାର୍ଥୀ ଯଶବନ୍ତ ସିହ୍ନାକୁ ସମର୍ଥନ ଦେବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ (ସଂକେତ ଟିଭି): ଆମ ଆଦମୀ ପାର୍ଟି ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କ ନେତୃତ୍ୱରେ ରାଜନୀତି ବ୍ୟାପାର କମିଟି ବୈଠକ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ଯଶବନ୍ତ ସିହ୍ନାକୁ ସମର୍ଥନ ଦେବାକୁ ଦଳ ନିଷ୍ପତ୍ତି ନେଇଥିଲା । ଆଜି ଏନେଇ ଦଳୀୟ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବରିଷ୍ଠ ନେତା ତଥା ରାଜ୍ୟସଭା ସଞ୍ଜୟ ସିଂ । ଆଉ ମାତ୍ର ଦୁଇ ଦିନ ପରେ (୧୮ ତାରିଖରେ) ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି ।

ସମର୍ଥନ ଘୋଷଣା କରି ଦଳ କହିଛି “ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ ରହିଛି। କିନ୍ତୁ ନିର୍ବାଚନରେ ଆମେ ବିରୋଧୀ ଦଳର ପ୍ରାର୍ଥୀଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବୁ। ଆମ ଦଳର ସମସ୍ତ ବିଧାୟକ ଓ ସାଂସଦ ସୋମବାର ଭୋଟ ଦେବେ।”

ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କ ପକ୍ଷର ବିଜୟ ସମର୍ଥନ ରହୁଥିବା ବେଳେ ଯଶବନ୍ତ ସିହ୍ନାକୁ ପ୍ରାର୍ଥୀ କରି ବିରୋଧୀ ପକ୍ଷ ସନ୍ଦେହରେ ରହିଛି। ସିହ୍ନାକୁ ପ୍ରାର୍ଥୀ କରିଥିବା ଖୋଦ୍ ଟିଏମ୍‌ସି ମୁର୍ମୁଙ୍କ ପାଇଁ ନରମ ଆଭିମୁଖ୍ୟ ଆପଣାଉଥିବା ବେଳେ କଂଗ୍ରେସ କିଛି ନେତା ମୁମୁର୍ଙ୍କୁ ସମର୍ଥ ଦେବା ନେଇ ଦଳ ପକ୍ଷରୁ ଓକିଲାତି କରୁଛନ୍ତି। ତା ସହ ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶା ଭଳି କିଛି ରାଜ୍ୟ ମୁର୍ମୁଙ୍କୁ ସମର୍ଥନ ଦେଇଛନ୍ତି।

ସୂଚନା ଥାଉକି ଦଳ ନିକଟରେ ୧୦ ରାଜ୍ୟସଭା ସାଂସଦ ରହିଛନ୍ତି । ସେଥିମଧ୍ୟରୁ ଦିଲ୍ଲୀର ୩ ଓ ପଞ୍ଜାବରେ ୭ ସାସଂଦ ରହିଛନ୍ତି । ସେହିପରି ଦଳ ନିକଟରେ ୩ ରାଜ୍ୟରେ ମୋଟ ୧୫୬ ବିଧାୟକ ରହିଛନ୍ତି । ସେମାନଙ୍କ ମଧ୍ୟରେ ନୂଆ କରି ସରକାର ଗଠନ ହୋଇଥିବା ପଞ୍ଜାବରେ ସର୍ବାଧିକ ୯୨ ବିଧାୟକ, ଦିଲ୍ଲୀରେ ୬୨ ଓ ଗୋଆରେ ମଧ୍ୟ ୨ ବିଧାୟକ ରହିଛନ୍ତି ।

ମିଳିତ ବିରୋଧୀ ମଞ୍ଚ ପକ୍ଷରୁ ଯଶୋବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ସେହିପରି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସଂଖ୍ୟା ଦୃଷ୍ଟିରୁ NDA ପ୍ରାର୍ଥୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବେ ।