BusinessFeaturedLatest

ବିମାନ ଇନ୍ଧନ ମୂଲ୍ୟରେ ୨.୨% ହ୍ରାସ, ଶସ୍ତା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ (ସଂକେତ ଟିଭି): ବିମାନ ଇନ୍ଧନ ବା ଏଭିଏସନ ଟର୍ବାଇନ ଫୁଏଲ ମୂଲ୍ୟରେ ଆଜି ୨.୨ ପ୍ରତିଶତ ହ୍ରାସ ହୋଇଛି । ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମିବା ଯୋଗୁଁ ବିମାନ ଇନ୍ଧର ଦର କମିଛି । ବିମାନ ଉଡାଣରେ ସାହାଯ୍ୟ କରୁଥିବା ଏହି ଏଟିଏଫ ମୂଲ୍ୟ କିଲୋଲିଟର ପିଛା ୩,୦୮୪.୯୪ ଟଙ୍କା ବା ୨.୨ ପ୍ରତିଶତ ହ୍ରାସ ପାଇ ୧୩୮,୧୪୭.୯୩ ଟଙ୍କାରେ ପହଞ୍ଚିଛି । ଏହାକୁ ମିଶାଇ ଚଳିତ ବର୍ଷ ଏଟିଏଫ୍ ଦର ଦ୍ବିତୀୟ ଥର ପାଇଁ କମିଛି ।

ବେଞ୍ଚମାର୍କ ଇନ୍ଧନର ଅନ୍ତର୍ଜାତୀୟ ମୂଲ୍ୟ ଆଧାରରେ ପ୍ରତିମାସର ପହିଲା ଏବଂ ୧୬ ଦିନରେ ବିମାନ ଇନ୍ଧନ ମୂଲ୍ୟ ସଂଶୋଧନ କରାଯାଏ । କିନ୍ତୁ ଏଥର ଜୁଲାଇ ପହିଲାରେ ଏଟିଏଫ୍ ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଗତ ମାସରେ ଇନ୍ଧନ ମୂଲ୍ୟ କିଲୋଲିଟର ପିଛା ୧୪୧,୨୩୨.୮୭ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା ।ଏବେ ବିଶ୍ବର ପ୍ରମୁଖ ରାଷ୍ଟ୍ରଗୁଡିକର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରିବାର ଆଶଙ୍କା କରାଯାଉଥିବାରୁ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ତୈଳ ଦରରେ ହ୍ରାସ ହୋଇଛି । ଏବେ ଦର ଋଷିଆ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ଥିବା ସ୍ତରରେ ରହିଛି ।