ସିଙ୍ଗାପୁର ଓପନ ଟାଇଟଲ ଜିତିଲେ ପିଭି ସିନ୍ଧୁ

ସିଙ୍ଗାପୁର (ସଂକେତ ଟିଭି): ଚଳିତ ସିଙ୍ଗାପୁର ଓପନରେ ଭାରତୀୟ ସଟଲର ସିନ୍ଧୁ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ୱାଙ୍ଗ ଝି ୟିଙ୍କୁ ୨୧-୯, ୧୧-୨୧ ଏବଂ ୨୧-୧୫ ସେଟରେ ହରାଇ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଜିତିଛନ୍ତି । ଏହା ତାଙ୍କ କ୍ୟାରିଅରର ୫୦୦ତମ ଟାଇଟଲ । ସାଇନା ନେହେୱାଲଙ୍କ ପରେ ପିଭି ସିନ୍ଧୁ ଦ୍ବିତୀୟ ଭାରତୀୟ ମହିଳା ଯିଏକି ସିଙ୍ଗାପୁର ଓପନ ଟାଇଟଲ ଜିତିଛନ୍ତି ।

ଏସିଆନ ଚାମ୍ପିୟନସିପରେ ୨୨ ବର୍ଷୀୟ ୱାଙ୍ଗ ଝି ୟି ସ୍ବର୍ଣ୍ଣ ପଦକ ଜିତିଥିଲେ । ହେଲେ ସିଙ୍ଗାପୁର ଓପନରେ ତାଙ୍କର ରଣନୀତି କାମ କରିନଥିଲା । ତିନି ସେଟ୍ ଧରି ଚାଲିଥିବା ମ୍ୟାଚରେ ସିନ୍ଧୁ ପ୍ରଥମେ ବିଜୟରୁ ଆରମ୍ଭ କରିଥିଲେ। ସେ ପ୍ରଥମ ସେଟରେ ଚାଇନାର ଖେଳାଳି ୱାଙ୍ଗଙ୍କୁ ୨୧-୯ରେ ପରାସ୍ତ କରିଥିଲେ। ଏହାପରେ ୱାଙ୍ଗ କମବ୍ୟାକ କରି ଦ୍ବିତୀୟ ସେଟ୍ ୨୧-୧୧ରେ ଜିତି ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ । ତୃତୀୟ ସେଟ୍ ବେଶ୍‌ ରୋମାଞ୍ଚକର ଥିଲା। ପ୍ରାରମ୍ଭିକ ୮-୧୦ ପଏଣ୍ଟ ପର୍ଯ୍ୟନ୍ତ, ଦୁଇ ଖେଳାଳିଙ୍କ ମଧ୍ୟରେ ସମାନ ଲଢ଼େଇ ହୋଇଥିଲା । କିନ୍ତୁ ପିଭି ସିନ୍ଧୁ ଧୀରେ ଧୀରେ ମ୍ୟାଚ୍‌ରେ ଆଗକୁ ବଢ଼ିଥିଲେ ଏବଂ ତୃତୀୟ ସେଟକୁ ୨୧-୧୫ ବ୍ୟବଧାନରେ ଜିତି ଟାଇଟଲ ହାତେଇ ନେଇଛନ୍ତି । ସିନ୍ଧୁଙ୍କ ଏହି ସଫଳତା ଆଗାମୀ ଜୁଲାଇ ୨୮ରୁ ବମିଂହାମରେ ଆରମ୍ଭ ହେବାକୁ ଥିବା କମନୱେଲଥ ଗେମ୍ସରେ ଭାରତ ପାଇଁ ବୁଷ୍ଟ ଯୋଗାଇବ ।

ଶନିବାର ଅନୁଷ୍ଠିତ ସେମିଫାଇନାଲରେ ସିନ୍ଧୁ ଜାପାନ ଖେଳାଳି ସିଏନା କାୱାକାମିଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । କାୱାକାମି ବିପକ୍ଷରେ ୨୧-୧୫, ୨୧-୭ ସେଟରେ ସହଜ ବିଜୟ ହାସଲ କରିଥିଲେ । ଏହା ପୂର୍ବରୁ ଚୀନ ପ୍ରତିଦ୍ବନ୍ଦୀ ହାନ ୟୁଇଙ୍କୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିଲେ ।

ସିନ୍ଧୁଙ୍କ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମ ଥର ପାଇଁ ସିଙ୍ଗାପୁର ଟାଇଟଲ ଜିତିଥିବାରୁ ଭାରତୀୟ ସଟଲର ପିଭି ସିନ୍ଧୁଙ୍କୁ ଅନେକ ଅନେକ ଅଭିନନ୍ଦନ । ସେ ପୁଣି ଥରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅତୁଳନୀୟ କ୍ରୀଡା ପ୍ରତିଭା ପ୍ରଦର୍ଶନ ଏବଂ ସଫଳତା ହାସଲ କରିବା ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଏହା ଆଗାମୀ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।