ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ, ଦ୍ରୌପଦୀଙ୍କ ପ୍ରାର୍ଥୀତ୍ବକୁ ନେଇ ତେଜସ୍ବୀଙ୍କ କଡା ପ୍ରତିକ୍ରିୟା

ନୂଆଦିଲ୍ଲୀ (ସଂକେତ ଟିଭି): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରଜେଡି ନେତା ତେଜଶ୍ୱୀ ଯାଦବ, ଏନଡିଏ ପ୍ରାର୍ଥୀଙ୍କୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିହାର ବିଧାନସଭାର ବିରୋଧି ଦଳ ନେତା ତେଜଶ୍ୱୀ ଯାଦବ କହିଛନ୍ତି, ଆମକୁ ରାଷ୍ଟ୍ରପତି ଭବନରେ କୌଣସି ମୂର୍ତ୍ତି ଦରକାର ନାହିଁ।… ଆପଣମାନେ କୌଣସି ନା କୌଣସି କାର୍ଯ୍ୟକ୍ରମରେ ଯଶୱନ୍ତ ସିହ୍ନାଙ୍କୁ ଶୁଣିଥିବେ, କିନ୍ତୁ କେନ୍ଦ୍ରର ରାଷ୍ଟ୍ରପତି ପ୍ରାର୍ଥୀ, ପ୍ରାର୍ଥୀତ୍ୱ ଘୋଷଣା ପରେ ଗୋଟିଏ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି।’ ତେଜଶ୍ୱୀ ସିଧାସଳଖ ନିଜ ପ୍ରତିକ୍ରିୟାରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ସୋମବାର ୧୮ ଜୁଲାଇ ୨୦୨୨ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିୟମ ଅନୁଯାୟୀ ନିର୍ଦ୍ଧାରିତ ସ୍ଥାନରେ ମତଦାନ ଅନୁଷ୍ଠିତ ହେବ। ଓଡ଼ିଶା ବିଧାନସଭାର ପ୍ରଥମ ମହଲାର ୫୪ ନଂ ପ୍ରକୋଷ୍ଠରେ ଭୋଟ ହେବ। ଯଦି କୌଣସି ସାଂସଦ ଏଠାରେ ଭୋଟ୍‌ ଦେବା ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ଆଣିଥିବେ ତେବେ ସେମାନେ ପ୍ରିଜାଇଡିଂ ଅଫିସରଙ୍କୁ ଅନୁମତି ପତ୍ର ଦେଖାଇ ଧାର୍ଯ୍ୟ ସମୟ‌ ମଧ୍ୟରେ ଭୋଟ୍‌ ଦେଇପାରିବେ। ତେବେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।

ଏନଡିଏ ବ୍ୟତୀତ ଜେଏମଏମ, ୱାଇଏସଆର, ଜେଡିୟୁ, ବିଜେଡି ପରି ଆଞ୍ଚଳିକ ଦଳ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ ଜଣାଇଛନ୍ତି। ଅନ୍ୟପଟେ ବିରୋଧି ଦଳଙ୍କ ମଧ୍ୟରେ ଆଜେଡି, ଆପ୍, କଂଗ୍ରେସ, ଟିଏମସି, ଟିଆରଏସ୍ ଦଳ ଯଶୱମ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି। ଆପ୍ ସମର୍ଥନ ଘୋଷଣା କରି ଦଳ କହିଛି ‘ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ ରହିଛି। କିନ୍ତୁ ନିର୍ବାଚନରେ ଆମେ ବିରୋଧୀ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବୁ।’