ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ : ୧୩ରୁ ଅଧିକ ମୃତ

ଭୋପାଳ (ସଂକେତ ଟିଭି): ମଧ୍ୟପ୍ରଦେଶରର ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ନର୍ମଦା ନଦୀକୁ ଯାତ୍ରୀବାହୀ ବସ୍ ଖସିପଡିବାରୁ ୧୩ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ୧୫ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଖାଲଘାଟରେ ଭାରସାମ୍ୟ ହରାଇ ପୋଲରୁ ନର୍ମଦା ନଦୀକୁ ଖସିପଡିଥିଲା ।

ସୂଚନାନୁଯାୟୀ, ଏକ ଯାତ୍ରୀବାହୀ ବସ୍ ୫୫ ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋରରୁ ପୁଣେ ଅଭିମୁଖେ ଯାଉଥିଲା । କିନ୍ତୁ ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ଥିବା ନର୍ମଦା ପୋଲ ଉପରୁ ନଦୀକୁ ଖସିପଡ଼ିଥିଲା। ଖବର ପାଇ ପୋଲିସ ଏବଂ ପ୍ରଶାସନ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଶେଷ ଖବର ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଯାତ୍ରୀମାନେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଖରଗୋନ-ଧାର୍ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଟଣା ସମ୍ପର୍କରେ ଜାଣିବା ପରେ ସେ ଗଭୀର ଭାବେ ଦୁଃଖିତ ବୋଲି ଟ୍ବିଟ କରିଛନ୍ତି । ମୋଦି ଟ୍ବିଟ କରି କହିଛନ୍ତି ଯେ, ” ମଧ୍ୟ ପ୍ରଦେଶର ଦୁର୍ଘଟଣା ଦୁଃଖଦ । ଦୁର୍ଘଟଣାରେ ପୀଡିତ ଯାତ୍ରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଉଛି । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ହୋଇଥିବା ଯାତ୍ରୀଙ୍କ ନିକଟରେ ଆବଶ୍ୟକୀୟ ସୁବିଧା ପ୍ରଦାନ କରାଯାଉଛି ।”