ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍

ଭୁବନେଶ୍ବର (ସଂକେତ ଟିଭି): ୧୮।୭: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଭୋଟ ଦେଇଛନ୍ତି । ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ବିବେକ ଦୃଷ୍ଟିରୁ ମାଟିର ଝିଅକୁ ସମ୍ମାନ ଦେଇ ଭୋଟ ଦେଇଛନ୍ତି ବୋଲି ସେ କହିଛନ୍ତି । ଓଡିଆ ଭାବାବେଗ ଓ ଓଡିଆ ଝିଅକୁ ସମ୍ମାନ ଦେଇ ସେ ଭୋଟ୍ ଦେଇଥିବା କହିଛନ୍ତି ।

ସେ କହିଛନ୍ତି, ମୋ ବିବେକ ଅନୁଯାୟୀ ମୁଁ ଭୋଟ୍ ଦେଇଛି । ଯେହେତୁ ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ, ଓଡିଶାର ଗର୍ବ ଗୌରବ ସେଥିପାଇଁ ମୁଁ ଭୋଟ୍ ଦେଲି । କାହାକୁ ଭୋଟ୍‌ ଦେବାକୁ ଦଳର କୌଣିସ ହ୍ବିପ୍ ନଥିଲା । ମୁଁ ଓଡିଆ ହିସାବରେ ତାଙ୍କୁ ଭୋଟ୍ ଦେଇଛି ।

ଦଳ ଆଗକୁ କଣ ନିଷ୍ପତ୍ତି ନେବ ତାହା ମୁଁ ଜାଣିନାହିଁ ମୋ ବିବେକ ଅନୁସାରେ କାମ କରିଛି ଆଶା କରୁଛି ଦଳ ଏହାକୁ ଖରାପ ଚକ୍ଷୁରେ ଦେଖିବ ନାହିଁ ବୋଲି ମୋକିମ୍ କହିଛନ୍ତି ।

କିଛି ଦିନ ତଳେ ବିଧାୟକ ମହମ୍ମଦ ମୋକିମ୍ କହିଥିଲେ ଦଳ ଯାହାକୁ କହିବ ତାଙ୍କୁ ଆମେ ସମର୍ଥନ କରିବୁ । ହାଇକମାଣ୍ଡଙ୍କ ନିଷ୍ପତ୍ତି ସର୍ବୋଚ୍ଚ । ଦଳ ଯାହାକୁ କହିବ ସମର୍ଥନ ଲାଗି ଆମେ ତାକୁ ସମର୍ଥନ କରିବୁ । ସବୁଠୁ ଉପରେ ଦଳ । କିନ୍ତୁ ଆଜି ସେ ନିଜେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ମହମ୍ମଦ ମୋକିମ୍ । ସେ କଂଗ୍ରେସର ସମ୍ପାଦକ ପଦରୁ ଇସ୍ତଫା ଦେବା ପରେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା ।

ତେବେ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ସ୍ପଷ୍ଟ କରିଥିଲେ । କଂଗ୍ରେସ ବିଧାୟକଙ୍କ ସହ ବୈଠକରେ ଏ ନେଇ ଆଲୋଚନା କରିଥିଲେ । କଂଗ୍ରେସର ସମସ୍ତ ଭୋଟ୍ ଯଶଓ୍ବନ୍ତଙ୍କୁ ଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ମହମ୍ମଦ ମୋକିମ ଏପରି କରି ଦଳ ନିଷ୍ପତ୍ତି ଖିଲାପରେ ଯାଇଥିବା ନେଇ ଚର୍ଚ୍ଚା ହେଉଛି । ଏହାକୁ ନେଇ ହାଇକମାଣ୍ଡକୁ ଜଣାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ସେହପରି ଘଟଣାକୁ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି । ମୋକିମ ବିଶ୍ବାସରେ ବିଷ ଦେଇଛନ୍ତି, କାର୍ଯ୍ୟାନୁଷ୍ଠାନ ପାଇଁ ହାଇକମାଣ୍ଡଙ୍କ ଆଗରେ ଦାବି କରିବୁ ବୋଲି କହିଛନ୍ତି ତାରାବାହିନୀ ପତି ।

ସେହିପରି ମହମ୍ମଦ ମୋକିମଙ୍କ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପ୍ରସଙ୍ଗକୁ ଦୁଃଖଦ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା । ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେବାକୁ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଥିଲା ହେଲେ ମହମ୍ମଦ ମୋକିମଙ୍କ ଏପରି କରିବା ଦୁଃଖର ବିଷୟ ବୋଲି କହିଛନ୍ତି ସାଲୁଜା । ଘଟଣା ନେଇ ଦଳୀୟ ହାଇକମାଣ୍ଡକୁ ଅବଗତ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନରସିଂହ ।