ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ଲାଞ୍ଚ ନେବାବେଳେ ଧରାପଡିଲେ ଲାଞ୍ଚୁଆ ଡାକ୍ତର

ଢେଙ୍କାନାଳ (ସଂକେତ ଟିଭି): ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଡାକ୍ତରଙ୍କୁ କାବୁ କଲେ ଭିଜିଲାନ୍ସ ଟିମ୍ । ଧରାପଡିଥିବା ଡାକ୍ତର ଜଣଙ୍କ ହେଲେ ଭେଷଜ ବିଶେଷଜ୍ଞ ଉମାକାନ୍ତ ଖଜରିଆ । ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ଏକ ଘରୋଇ କ୍ଲିନିକରେ ସେ ଲାଞ୍ଚ ନେଉଥିଲେ ।ସେ ଲାଞ୍ଚ ନେଇଥିବା ରାସାୟନିକ ବୋଳା ୧ ୧ହଜାର ଟଙ୍କା ତାଙ୍କଠାରୁ ଭିଜିଲାନ୍ସ ଜବତ କରିଛି । ଡାକ୍ତର ଜଣଙ୍କ ଏବେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି ।

ଏଲଆଇସି ଡେଥ୍ କ୍ଲେମ୍ ସେଟଲ୍ ପାଇଁ ଆବଶ୍ୟକ ଡାକ୍ତରୀ ସାର୍ଟିଫିକେଟ ପାଇଁ ଡାକ୍ତର ବାବୁ ଜଣଙ୍କ ମୃତକ ପରିବାର ପାଇବାକୁ ଥିବା ମୋଟ ଟଙ୍କାର ଶତକଡା ୧୦ ପ୍ରତିଶତ ଲାଞ୍ଚ ନେଇଥାନ୍ତି ବୋଲି ଭିଜିଲାନ୍ସରେ ଅଭିଯୋଗ ଥିଲା । ତେବେ ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମର ମୃତା ନନ୍ଦିନୀ ନାୟକଙ୍କର ପରିବାର ଏଲଆଇସି ଡେଥ କ୍ଲେମ ବାବଦକୁ ପାଇବାକୁ ଥିବା ୧ ଲକ୍ଷ ୧୦ ହଜାର ଟଙ୍କାର ୧୦ ପ୍ରତିଶତ ଅର୍ଥାତ ୧୧ ହଜାର ଟଙ୍କା ଡାକ୍ତର ଜଣକ ଲାଞ୍ଚ ଦାବି କରିଥିଲେ । ଅଭିଯୋଗ ପାଇ ମଙ୍ଗଳବାର କଟକ ଭିଜିଲାନ୍ସର ଏକ ଟିମ୍ ଯୋଜନବଦ୍ଧ ଭାବେ ଛକି ବସିଥିବା ବେଳେ ମୃତା ନନ୍ଦିନୀଙ୍କ ବୀମା କରିଥିବା ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କଠାରୁ ଏହି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିଲା ।