ରାଜ୍ୟ କ୍ୟାବିନେଟ୍‌ ରେ ୧୭ଟି ପ୍ରସ୍ତାବରେ ବାଜିଲା ମୋହର

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟ୍‌ର ଏହି ବୈଠକରେ ଆଜି ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ତେବେ କ୍ୟାବିନେଟ୍‌ରେ ହୋଇଥିବା ନିଷ୍ପତ୍ତି ମଧ୍ୟରେ, ୨୦୨୨ ଆଇଟି ପଲିସିକୁ କ୍ୟାବିନେଟର ମୋହର ଲାଗିଛି । ଡିଶାକୁ ଦେଶରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ପାଇଁ ପୁଞ୍ଜିନିବେଶର ଏକ ଅଗ୍ରଣୀ ଗନ୍ତବ୍ୟସ୍ଥଳରେ ପରିଣତ କରିବା ଲାଗି ଏହି ପଲିସି ଉଦ୍ଧିଷ୍ଟ । ସେହିପରି ପାଇକ ବିଦ୍ରୋହ ସ୍ମାରକୀ ପାଇଁ ରାଜ୍ୟ ସରକାର ୯.୬୮ ଏକର ଜମି ଯୋଗାଇଛନ୍ତି। ଖୋର୍ଦ୍ଧା ବରୁଣେଇ ଠାରେ ଜମି ଯୋଗାଇ ଦିଆଯାଇଛି ।

ରାଜ୍ୟ ସରକାର ୪ ଜିଲ୍ଲାକୁ ମନରେଗା ଯୋଜନାରେ ଅଧିକ ୨୦୦ ଦିନ କାମ ଯୋଗାଇବେ । ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ନୂଆପଡ଼ାର ୨୦ ବ୍ଲକରେ ଏହା ଲାଗୁ ହେବ । ଦାଦନ ପ୍ରବଣ ବ୍ଲକରେ କାମ ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ୧୦୦ ଦିନ କାମ ଯୋଗାଉଛନ୍ତି ।

ପୁରୀରେ ‘ଅବଢ଼ା’ ଯୋଜନାରେ ବୋର୍ଡିଂ ଓ ରହଣୀ ହେବ । ଏହି ସୁବିଧା ପାଇଁ ୧୩୫ କୋଟି ୬୦ ଲକ୍ଷ ଟଙ୍କା ବିନିଯୋଗ ହେବ । ୨୪ ମାସରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ମାନ୍ୟବର ଓଡ଼ିଶା ଲୋକାୟୁକ୍ତଙ୍କର ୨୦୨୧ ବର୍ଷର ବାର୍ଷିକ ରିପୋର୍ଟକୁ ମଞ୍ଜୁରି ମିଳିଛି।

‘ଜଳ ଜୀବନ ମିଶନ’କୁ କ୍ୟାବିନେଟ୍‌ ମଞ୍ଜୁରୀ । ୨୪ ମାସରେ ସବୁ କାମ ସାରିବାକୁ ଟାର୍ଗେଟ ରଖାଯାଇଛି । ସେହିଭଳି ଓଡିଶା ଡିପ୍ଳୋମା ଯାନ୍ତ୍ରିକ ସେବା( ନିଯୁକ୍ତ ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନୟମାବଳୀ-୨୦୧୨ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ।

ଏହାସହିତ ନଦୀ ଗର୍ଭରେ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ପ୍ରକ୍ପର ଯୋଜନାରେ ମୋହର ବାଜିଛି। ପ୍ରକଳ୍ପ ନିର୍ମାଣ ପାଇଁ ୧୪୯ କୋଟି ୬୦ ଲକ୍ଷ ବ୍ୟତୀତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରକ୍ଷଣବେକ୍ଷଣ ପାଇଁ ୨ କୋଟି ପଚାଶ ଲକ୍ଷ ଟଙ୍କା ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ୩୬ ମାସ ମଧ୍ୟରେ କାମ ସାରିବାକୁ ଲକ୍ଷ୍ୟ ରହିଛି।

ଓଡିଶା ଆଇ.ଟି. ପଲିସି -୨୦୨୨ ରେ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରାଯାଇଛି:

( ୧ ) ଆଇ.ଟି ପାର୍କ ନିମନ୍ତେ ପ୍ରୋତ୍ସାହନ: ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡ଼ିକର ପୁଞ୍ଜିନିବେଶର ୨୫ % ( ସର୍ବାଧିକ ୨୦ କୋଟି ଟଙ୍କା) ଯୋଗାଇ ଦିଆଯିବ । ସୌରଶକ୍ତି କେନ୍ଦ୍ରର ବିକାଶ ନିମନ୍ତେ ଖର୍ଚ୍ଚ କରାଯାଇଥିବା ଅର୍ଥର ୧୫ % (ସର୍ବାଧିକ ୨୫ ଲକ୍ଷ ଟଙ୍କା) ପ୍ରତିପୁର୍ତ୍ତି କରାଯିବ । ଗ୍ରୀନ ଫିଲଡ୍ ଆଇଟି ପାର୍କଗୁଡିକୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ଦେୟ ଶତ ପ୍ରତିଶତ ଛାଡ଼ କରାଯିବ ।

( ୨ ) ସ୍ଥାୟୀ ପୁଞ୍ଜିନିବେଶ ସହାୟତା : ଭିତ୍ତିଭୂମିରେ ସ୍ଥାୟୀ ପୁଞ୍ଜିନିବେଶର ୩୦ % ( ସର୍ବାଧିକ ୩ କୋଟି ପର୍ଯ୍ୟନ୍ତ ) ଯୋଗ୍ୟ ଆଇ.ଟି. ସଂସ୍ଥା ମାନଙ୍କୁ ରିହାତି ଯୋଗାଇଦିଆଯିବ ।

( ୩ ) ଯେଉଁ ଆଇ.ଟି. ଶିଳ୍ପଦ୍ୟୋଗୀମାନେ ଦୀର୍ଘମିଆଦି ସୂତ୍ରରେ ବ୍ୟାଙ୍କ ( ଆର୍ଥିକ ସଂସ୍ଥାରୁ ଋଣକରି ଠିକ ସମୟରେ ପରିଶୋଧ କରୁଥିବେ ସେମାନଙ୍କ ଋଣ ଉପରେ ବାର୍ଷିକ ୫ % ସୁଧ ରିହାତି ୫ ବର୍ଷ ପର୍ଯ୍ୟନ୍ତ (ସର୍ବାଧିକ ୧୦ କୋଟି ବାର୍ଷିକ ) କରାଯିବ ।

( ୪ ) ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ୍ ଶୁଳ୍କ , ବୈଦ୍ୟୁତିକ ଯାଞ୍ଚଶୁଳ୍କ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ କରାଯିବ । ଯୋଗ୍ୟ ଉଦ୍ୟୋଗୀମାନଙ୍କୁ ବିଦ୍ୟୁତ ବିଲ୍ ର ୩୪ % ( ସର୍ବାଧିକ ୩୫ ଲକ୍ଷ ) ରିହାତି ମିଳିବ ।

( ୫ ) ୪୦ ରୁ ଅଧିକ କର୍ମଚାରୀ ଥିବା ଆଇ.ଟି. ୟୁନିଟଗୁଡିକ ଇନକ୍ୟୁବେସନ ସ୍ପେସକୁ ଆଧାର କରି ସର୍ବାଧିକ ୩ ବର୍ଷ ପାଇଁ ଇନକ୍ୟୁବେସନ ସ୍ପେସର ଭଡାରେ ରିହାତି ପାଇପାରିବେ । ସରକାରଙ୍କ ଦ୍ବାରା ଅନୁମୋଦିତ ଆଇଟି ପାର୍କ ଓ ଇନକ୍ୟୁବେସନ ସେଣ୍ଟରରେ କୋ-ଓ୍ବାର୍କିଂଙ୍ଗ ସ୍ପେସ ରେ କାର୍ଯ୍ୟ କଲେ ପ୍ରତି ସିଟ୍ ପିଛା ମାସିକ ୧୪୦୦ ଟଙ୍କା ଓ ରାଜ୍ୟ ସରକାରଙ୍କ ଦ୍ବାରା ବିଜ୍ଞପ୍ତି ପ୍ରାପ୍ତ ଘରୋଇ ଆଇ.ଟି. ପାର୍କରେ ପ୍ରତି ସିଟ୍ ପିଛା ୧୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ପୁର୍ତ୍ତି କରାଯିବ ।

( ୬ ) ଯେଉଁ ଆଇ.ଟି. ସଂସ୍ଥାମାନେ ଭଡାଘରେ ନୂଆକରି ବ୍ୟବସାୟ ଆରମ୍ଭ କରିବେ ସେମାନଙ୍କୁ ପ୍ରତି ମାସରେ ପ୍ରତି ବର୍ଗଫୁଟ ୨୦ ଟଙ୍କା ହିସାବରେ ସହାୟତା ଦିଆଯିବ । ଯାହା ତାଙ୍କ ପ୍ରକୃତ ଭଡାର ୭୫ % ରୁ ଅଧିକ ହେବନି । ମହିଳା ଅନୁସୂଚିତ ଜାତି / ଜନଜାତି ଓ ଭିନ୍ନକ୍ଷମ ଉଦ୍ୟୋଗୀମାନଙ୍କୁ ଅତିରିକ୍ତ ୨୫ % ( ସର୍ବାଧିକ ବାର୍ଷିକ ୫ ଲକ୍ଷ ) ସହାୟତା ପ୍ରଦାନ କରାଯିବ ।

( ୭ ) ଉଦ୍ୟୋଗୀମାନଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପ ଡ୍ୟୁଟି ୧୦୦ % ଏବଂ ଦ୍ବିତୀୟ ଥର ପାଇଁ ୫୦ % ଛାଡ଼ କରାଯିବ । ଚାଷଜମିକୁ ଶିଳ୍ପ ଉପଯୋଗୀ ଜମିରେ ପରିବର୍ତନ କରିବା ପାଇଁ ହେଉଥିବା ଖର୍ଚ୍ଚର ୧୦୦ % ପ୍ରତିଶତ ଯୋଗାଇ ଦିଆଯିବ ।

( ୮ ) ଭୁବନେଶ୍ବର ବିକାଶ ପ୍ରାଧିକରଣ ( ବି ଡି ଏ ) ଅଞ୍ଚଳରେ ବ୍ୟବସାୟ ସ୍ଥାପନ କରିଥିବା ଆଇ.ଟି କମ୍ପାନୀମାନଙ୍କୁ ୫ ବର୍ଷ ପାଇଁ ଶତ ପ୍ରତିଶତ ନେଟ୍ ଏସଜିଏସଟି ପ୍ରତିପୂର୍ତ୍ତି କରାଯିବ ।

( ୯ ) ମାନବସମ୍ବଳ ବିକାଶ ନିମନ୍ତେ ପ୍ରୋତ୍ସାହନ: ଓଡ଼ିଶାରେ ବାସ କରୁଥିବା ଲୋକଙ୍କ ନିଯୁକ୍ତି (କାର୍ଯ୍ୟନିର୍ବାହୀ ପଦରେ) ନିମନ୍ତେ ପ୍ରତି ବ୍ୟକ୍ତି ପାଇଁ ୧୦ ହଜାର ଟଙ୍କା (ସର୍ବାଧିକ ୧୦ ଲକ୍ଷ ଟଙ୍କା) ପ୍ରତି ୟୁନିଟକୁ ୩ ବର୍ଷ ପାଇଁ ଯୋଗାଇ ଦିଆଯିବ । ମହିଳା, ଅନୁସୂଚିତ ଜାତି ( ଜନଜାତି ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କ ପାଇଁ ଅତିରିକ୍ତ ୧୦୦୦ ଟଙ୍କା ଯୋଗାଇ ଦିଆଯିବ । ଓଡ଼ିଆ କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ଓ ରାଜ୍ୟକର୍ମଚାରୀ ବୀମା ବାବଦକୁ ଶତପ୍ରତିଶତ ଅର୍ଥ ( ସର୍ବାଧିକ ୫ କୋଟି ) ୩ ବର୍ଷ ପାଇଁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।

୧୦ ) ଯୋଗ୍ୟ ଆଇ.ଟି କମ୍ପାନୀମାନଙ୍କୁ ସେମାନଙ୍କର ଇଣ୍ଟରନେଟ୍ ସଂଯୋଗ / ଲିଜ୍ ଦେୟର ୫୦ % ସର୍ବାଧିକ ୫ ଲକ୍ଷ ପର୍ଯ୍ୟନ୍ତ ୨ ବର୍ଷ ପାଇଁ ପ୍ରତିପୂର୍ତ୍ତି କରାଯିବ ।

( ୧୧ ) ବିଜୁ ଇନୋଭେସନ ଲ୍ୟାବର ପ୍ରତିଷ୍ଠା ଓ ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଯୋଗାଇଦିଆଯିବ ।

( ୧୨ ) ଓଡ଼ିଶାର ଇଞ୍ଜିନିୟରିଂ କଲେଜ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକର ସେଣ୍ଟର ଅଫ୍ ଏକ୍ସସିଲେନ୍ସ କୁ ପ୍ରୋତ୍ସାହନ ଦେବା ପାଇଁ ମାର୍କେଟିଙ୍କ ସହାୟତା, ଗୁଣବତ୍ତା ପ୍ରମାଣପତ୍ର ସହାୟତା, ପେଟେଣ୍ଟ ପଞ୍ଜିକରଣ ସହାୟତା, ଇଣ୍ଟରନେଟ୍ ସହାୟତା, ସୁଧ ସବ୍‌ସିଡ଼ି ଆଦି ପ୍ରୋତ୍ସାହନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।

( ୧୩ ) ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ , ସାଇବର ସିକ୍ୟୁରିଟି, ଏକ୍ସଟେଣ୍ଡେଡ୍ ରିଆଲିଟି, ଅଟୋମେସନ, ବ୍ଲକ୍ ଚେନ୍, ବିଗ୍ ଡାଟା, କ୍ଲାଉଡ୍ କମପ୍ୟୁଟିଂ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ମେସିନ ଲିମିଙ୍ଗକ୍ଷେତ୍ରରେ ବିନିଯୋଗ କରିଥିବା କମ୍ପାନୀ । ୟୁନିଟ୍ ମାନଙ୍କୁ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି ।