ବିଶ୍ୱର ଦ୍ରୁତ ବିକାଶଶୀଳ ଅର୍ଥନୀତିକୁ ବିଜେପି ଧ୍ୱଂସ କରିଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି):ବିଜେପି ସରକାର ସମଗ୍ର ଦେଶର ଅର୍ଥନୀତିକୁ ଧ୍ୱଂସ କରିଦେଇଛି । ଭାରତର ଅର୍ଥନୀତି ସମଗ୍ର ବିଶ୍ୱରେ ଦ୍ରୁତ ଭାବରେ ବିକାଶ କରୁଥିଲା । ଆଜିଠାରୁ ୪୭ତମ ଜିଏସ୍‌ଟି ପରିଷଦ ବୈଠକରେ ହୋଇଥିବା ସୁପାରିଶକୁ ଲାଗୁ କରାଯାଇଥିବାରୁ ରାହୁଲ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦହି, ପନିର, ଚାଉଳ, ଗହମ, ବାର୍ଲି, ଜ, ମହୁ ଏବେ ଟିକସ ପରିସରଭୁକ୍ତ ହୋଇଛି । କ୍ଷମତାସୀନ ବିଜେପି ବିଶ୍ୱର ସବୁଠୁ ଦ୍ରୁତ ବିକାଶ କରୁଥିବା ଅର୍ଥନୀତିକୁ ଧ୍ୱଂସ କରିସାରିଛି । ପୂର୍ବରୁ ଉପଭୋକ୍ତାମାନେ ଏହି ସାମଗ୍ରୀ ପାଇଁ ଟିକସ ଦେଉନଥିଲେ ।

ଟ୍ୱିଟ୍‌ରେ ରାହୁଲ ଉଲ୍ଲେଖ କରିଛନ୍ତି ଯେ ବିଜେପି ସରକାର ସମୟରେ ଟିକସ ଅଧିକ ହୋଇଛି ଓ କୌଣସି ନିଯୁକ୍ତି ସୁଯୋଗ ନାହିଁ । ବିଜେପିର ଏହି ଏକଛତ୍ରବାଦ ଆଭିମୁଖ୍ୟ ଅର୍ଥନୀତିକୁ ଧ୍ୱଂସ କରିସାରିଲାଣି । ସେହିଭଳି ହସ୍ପିଟାଲଗୁଡିକରେ ୫ ହଜାର ଟଙ୍କାର ଥିବା କ୍ୟାବିନ୍‌ଗୁଡିକ ଏବେବି ଟିକସ ପରିସରଭୁକ୍ତ ହୋଇଛି । ଏଥିରେ ୫% ଟିକସ ଲାଗିବ । ସେହିଭଳି ହୋଟେଲରେ ୧୦୦୦ ଟଙ୍କାରୁ କମ୍‌ ମୂଲ୍ୟ ଥିବା ରୁମ୍‌ଗୁଡିକରେ ୧୨% ଟିକସ ଲାଗିବ ।

ସେହିଭଳି ସୌରଚାଳିତ ୱାଟର ହିଟରର ଟିକସ ୫% ରୁ ୧୨% ବଢ଼ିଛି । ଏଲ୍‌ଇଡି ଲାଇଟ୍‌ରେ ଟିକସ ୧୨% ରୁ ୧୮% ରହିଛି । ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଓ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ନେଇ ରାହୁଲ ବର୍ଷିଛନ୍ତି ।

ସେହିଭଳି ବିଜେପି ସାଂସଦ ବରୁଣ ଗାନ୍ଧି ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ଜିଏସ୍‌ଟି ପରିସରଭୁକ୍ତ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ପ୍ୟାକ୍‌ ହୋଇ ଆସୁଥିବା ସାମଗ୍ରୀଗୁଡିକ ଉପରେ ଜିଏସ୍‌ଟି ଲାଗୁ କରିବା ଫଳରେ ଏହା ବେରୋଜଗାରୀ ଅଧିକ ସୃଷ୍ଟି କରିବ । ଏହାଦ୍ୱାରା ମଧ୍ୟବିତ୍ତ ପରିବାରଙ୍କ ଉପରେ ପୁଣି ବୋଝ ପଡିବ । ଜିଏସ୍‌ଟି ଏବେ କ୍ଷୀର, ଦହି, ଚାଉଳ, ଡାଲି ଓ ପାଉଁରୁଟି ଉପରେ ଲାଗୁଛି ।

ଏହାଦ୍ୱାରା ବେରୋଜଗାରୀ ରେକର୍ଡ ସ୍ତରରେ ପହଞ୍ଚିବ । ଯେଉଁ ଯୁବକମାନେ ଭଡା ଘରେ ରହୁଛନ୍ତି ସେମାନଙ୍କ ସଂଘର୍ଷ ବୃଦ୍ଧି ପାଇବ । ବର୍ତ୍ତମାନ ସମୟ ଆସିଛି ସେମାନଙ୍କୁ ସାହାଯ୍ୟ କରିବା କଥା ମାତ୍ର ସେମାନଙ୍କୁ ଆଘାତ ଦିଆଯାଉଛି । ଅତିତରେ ବରୁଣ ଗାନ୍ଧି ମଧ୍ୟ ଦେଶର ବେରୋଜଗାରୀ ଉପରେ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକରେ ୬୦ ଲକ୍ଷ ମଞ୍ଜୁରୀ ପ୍ରାପ୍ତ ପଦବୀ ଖାଲି ପଡିଛି । ହେଲେ ଦେଶରେ ବେରୋଜଗାରୀ ଶୀର୍ଷ ସ୍ଥାନରେ ପହଞ୍ଚିଛି ବୋଲି ଉଲ୍ଲେଖ କରିଛନ୍ତି ।