ମୋବାଇଲ୍ ଆପ୍‌ ଜରିଆରେ ବ୍ୟବସାୟୀଙ୍କଠାରୁ ପ୍ରାୟ ୧୦ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ

ରାଉରକେଲା (ସଂକେତ ଟିଭି): ଜଣେ ଯୁବ ବ୍ୟବସାୟୀ ମୋବାଇଲ ଆପ୍ ବ୍ୟବହାର କରି ଋଣ ନେଇଥିବା ବେଳେ ପରେ ପ୍ରାୟ ୧୦ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ ସହର ଡଂଗିଭୋଡି ଅଞ୍ଚଳରେ ।

ସୂଚନା ଅନୁସାରେ, ସୁନ୍ଦରଗଡ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡିର ଯୁବ ବ୍ୟବସାୟୀ ମହମ୍ମଦ ଖୁରସୀଦ ନିଜ ବ୍ୟବସାୟ ପାଇଁ କିଛି ମୋବାଇଲ ଆପ୍‌ରୁ ଋଣ ନେଇଥିଲେ । ଏଥିପାଇଁ ତାଙ୍କୁ ଅନଲାଇନ ଫର୍ମ ପୂରଣ କରିବା ସହ ନିଜର ଫଟୋ, ଆଧାର କାର୍ଡ, ପାନ୍ କାର୍ଡ ପରି ଦସ୍ତାବିଜ ଅପଲୋଡ୍ କରିବାକୁ ପଡିଥିଲା । ତେବେ ଋଣ ପରିଶୋଧରେ ସାମାନ୍ୟ ବିଳମ୍ବ ହେବାରୁ ତାଙ୍କୁ ଦୁଇ ଗୁଣ ସୁଧ ସହ ମୋଟା ଅଙ୍କର ଫାଇନ୍ ଦେବାକୁ ଋଣଦାତା କହିଥିଲେ । ଖୁରସୀଦ୍ ନିଜ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହାୟତାରେ ସମସ୍ତ ଋଣ ପରିଶୋଧ କରି ଦେଇଥିଲେ। ଏହାପରେ ଋଣଦାତାମାନେ ଚୁପ୍ ହୋଇ ରହିଥିଲେ।

ତେବେ ଦୁଇ ମାସ ପରେ ପୁଣି ଋଣଦାତା ତାଙ୍କୁ ହ୍ବାଟସଆପ୍ ଓ ଫୋନ୍ ଜରିଆରେ ଆହୁରି ଟଙ୍କା ଦେବା ପାଇଁ କହିଥିଲେ। ଖୁରସୀଦ୍ ଏଥିରେ ରାଜି ନହେବାରୁ ସେମାନେ ତାଙ୍କ ଫଟୋ ସହ ଅଶ୍ଳୀଳ ମନ୍ତବ୍ୟ ଲେଖି ତାଙ୍କ ସମ୍ପର୍କୀୟମାନଙ୍କୁ ପଠାଇଥିଲେ । ଧମକ ଦେଇଥିଲେ ଯେ, ସେହିପରି ଅଶ୍ଳୀଳ ମନ୍ତବ୍ୟ ଓ ଇସ୍ତାହାର ଥିବା ଫଟୋ ସେମାନେ ଇଂଟରନେଟ୍‌ରେ ଭାଇରାଲ କରିଦବେ।

ବ୍ଲାକମେଲରମାନେ କୌଣସି ପ୍ରକାରରେ ତାଙ୍କ ମୋବାଇଲ ଫୋନର କଣ୍ଟାକ୍ଟ ନମ୍ବର ଗୁଡିକୁ ହ୍ୟାକ୍ କରି ସେମାନଙ୍କୁ ମଧ୍ୟ ଏପରି ଅଶ୍ଳୀଳ ଫଟୋ ଓ ଲେଖା ପଠାଇବା ଆରମ୍ଭ କରି ଦେଇଥିଲେ। ବାଧ୍ୟ ହୋଇ ଖୁରସୀଦ ସେମାନଙ୍କୁ ଆହୁରି ଟଙ୍କା ଦେଇଥିଲେ। ପାଖାପାଖି ୧୦ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ସେ ଋଣଦାତାଙ୍କ ବ୍ଲାକମେଲିଂରୁ ରକ୍ଷା ପାଇ ନଥିଲେ। ଏ ନେଇ ସେ ଟାଉନ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।