ଚାଉଳ, ଅଟା ଏବଂ ଡାଲି ଉପରେ ଲାଗିବନି ଜିଏସଟି

ନୂଆଦିଲ୍ଲୀ (ସଂକେତ ଟିଭି): ଡାଲି, ଗହମ, ରାଇ, ଉଡ୍ସ, ମକା, ଚାଉଳ, ଅଟା, ସୁଜି, ବେସନ, ଦହି ଏବଂ ଲସି ଆଦି ୧୪ଟି ସାମଗ୍ରୀ ଉପରେ ଜିଏସଟି ଲାଗିବ ନାହିଁ । ହେଲେ ତାହା ଖୋଲାରେ କିଣିଲେ ଜିଏସଟି ଲାଗିବ ନାହିଁ । ବ୍ରାଣ୍ଡେଡ ଏବଂ ପ୍ୟାକେଟ୍ ହୋଇଥିବା ଏହି ସବୁ ସାମଗ୍ରୀ ଉପରେ କିନ୍ତୁ ଜିଏସଟି ଲାଗିବ । ଏହା ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଜୁଲାଇ ୧୮ରୁ ଦେଶରେ ଅନେକ ଖାଇବା ସାମଗ୍ରୀ ଉପରେ ବସ୍ତୁ ଏବଂ ସେବା କର(ଜିଏସଟି) ଲାଗୁ ହୋଇଛି। ଏବେ ବ୍ରାଣ୍ଡେଡ ଏବଂ ପ୍ୟାକେଟ୍ ହୋଇଥିବା ଡାଲି, ଅଟା, ଚାଉଳ, ଦହି ଏବଂ ଲସି ପରି ଜରୁରୀ ସାମାନ ଉପରେ ଜିଏସଟି ଲାଗିବ। ଏହି ସଂପର୍କରେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଅନୁଯାୟୀ, ୧୪ଟି ସାମଗ୍ରୀ ଉପରେ ଜିଏସଟି ଲାଗିବ ନାହିଁ, ଯଦି ଆପଣ ତାକୁ ଖୋଲାରେ କିଣିବେ।

ମଙ୍ଗଳବାର ଏକ ଟୁଇଟ୍‌ରେ ସୂଚନା ଦେଇ ଅର୍ଥ ମନ୍ତ୍ରୀ କେଉଁ ୧୪ଟି ସାମଗ୍ରୀ ଉପରେ ଜିଏସଟି ଲାଗିବ ନାହିଁ ତାର ତାଲିକା ଦେଇଛନ୍ତି। ସେଗୁଡିକ ହେଲା ଡାଲି, ଗହମ, ରାଇ, ଉଡ୍ସ, ମକା, ଚାଉଳ, ଅଟା, ସୁଜି, ବେସନ, ଦହି ଏବଂ ଲସି। ଅର୍ଥାତ ଆପଣ ଯଦି ଏହି ସବୁ ଖାଦ୍ୟ ସାମଗ୍ରୀକୁ ଖୋଲାରେ କିଣିବେ ତେବେ ଏହା ଉପରେ ଜିଏସଟି ଲାଗିବ ନାହିଁ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁଲାଇ ୧୮ରେ ଅର୍ଥ ମନ୍ତ୍ରଣାଳୟ କହିଥିଲେ, ଯଦି ଏହି ସବୁ ଜିନିଷର ପ୍ୟାକିଂ ୨୫ କିଲୋଗ୍ରାମରୁ ଅଧିକ ହୋଇଥିବ ତେବେ ଏହା ଉପରେ ଜିଏସଟି ଲାଗିବ ନାହିଁ। ଆଉ ପ୍ୟାକ୍ ହୋଇଥିବା ଯେଉଁ ସାମଗ୍ରୀ ୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଥିବ ତା ଉପରେ ଜିଏସଟି ଲାଗିବ। ଯଦି ରିଟେଲର ବଡ ବଡ ବ୍ୟବସାୟୀ କିମ୍ବା ବିତରକଙ୍କଠୁ ୨୫ କିଲୋଗ୍ରାମର ପ୍ୟାକେଟ୍‌ର ଆଣି ଏହାକୁ ଖୋଲାରେ ବିକିବ ତେବେ ଏହା ଉପରେ ଜିଏସଟି ଲାଗିବ ନାହିଁ।