ବାଲେଶ୍ୱରର ଝିଅ କହି ଆଇଟି ଏକ୍ସପର୍ଟଙ୍କୁ ୨୪ ଲକ୍ଷ ଚୁନା ଲଗାଇଲେ କାଲିଫର୍ନିଆର ଯୁବତୀ

ଭୁବନେଶ୍ୱର (ସଂକେତ ଟିଭି): ନିଜ ଘର ବାଲେଶ୍ବର ବୋଲି କହି ଜଣେ ଆଇଟି ଏକ୍ସପର୍ଟଙ୍କୁ ୨୪ ଲକ୍ଷ ଟଙ୍କାର ଚୁନା ଲଗାଇଲେ ବିଦେଶୀ ମହିଳା । କାଲିଫର୍ନିଆରେ ଡାକ୍ତର ଥିବା ଯୁବତୀ ଜଣକ ପ୍ରଥମେ ମାଟ୍ରିମୋନିରେ ସମ୍ପର୍କ ଗଢିଥିଲେ। ଏହାପରେ ଫେସବୁକରେ କଥାବାର୍ତ୍ତା ହୋଇ ଆଇଟି ଏକ୍ସପର୍ଟଙ୍କୁ ନିଜ ଫାନ୍ଦରେ ପକାଇଥିଲେ ।

ଓଡିଆ ମାଟ୍ରିମୋନିରେ ଯୁବତୀ ଜଣକ ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ ବିଜ୍ଞାପନ ଦେଇଥିଲେ । ସେ କାଲିଫର୍ନିଆରେ ରୁହନ୍ତି ଓ ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ ବୋଲି ଉଲ୍ଲେଖ ରହିଥିଲା । ଏହାକୁ ଦେଖି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ଯୁବତୀ ଜଣକ ପ୍ରସ୍ତାବକୁ ଗ୍ରହଣ ମଧ୍ୟ କରିଥିଲେ । ଏହାପରେ ଯୁବତୀ ଜଣକ ନିଜର ନାମ ପ୍ରିୟା ଗୁପ୍ତା ଓ ସେ ଖୁବଶିଘ୍ର ଓଡିଶା ଆସୁଥିବା ସୂଚନା ଯୁବକଙ୍କ ପରିବାରକୁ ଦେଇଥିଲେ । ମଝିରେ ମଝିରେ ଯୁବତୀ ଜଣକ ହ୍ବାଟସ୍‌ଆପ ଓ ଫେସବୁକରେ ଭିଡିଓ କଲ କରି କଥା ମଧ୍ୟ ହୋଇଥିଲେ । ଗତ ଦୁଇଦିନ ତଳେ ଯୁବତୀ ଜଣକ ଦିଲ୍ଲୀ ଏୟାରପୋର୍ଟରେ ପହଁଚିଥିବା କଥା କହିଥିଲେ । ସେ କାଲିଫର୍ନିଆରୁ ଆଣିଥିବା ୭୦ ହଜାର ୟୁକେ ଡଲାରକୁ କଷ୍ଟମ କ୍ଲିୟରାନ୍ସ ପାଇଁ ୨୪ ଲକ୍ଷ ଟଙ୍କା ଦରକାର ବୋଲି କହିଥିଲେ । ଯୁବକଙ୍କ ବାପାଙ୍କ ନିକଟରୁ ୨୪ ଲକ୍ଷ ଟଙ୍କା ନେଇ ତାଙ୍କୁ ଦେଇଥିଲେ । ଏହାପରେ ଯୁବତୀ ଜଣକ ଆଉ ଧରା ଦେଇନଥିଲେ । ଏହାପରେ ତାଙ୍କ ମୋବାଇଲ ସୁଇଚ୍‌ ଅଫ ହୋଇଯାଇଥିଲା ।

ଏହାପରେ ଆଟି ଏକ୍ସପର୍ଟ ଯୁବତୀଙ୍କ ସମ୍ପର୍କରେ ପଚରା ଉଚୁରା କରି ଏହା ଏକ ଫେକ୍‌ ପରିଚୟ ବୋଲି ଜାଣିବାକୁ ପାଇଥିଲେ । ଯୁବକଙ୍କ ପକ୍ଷରୁ ଭୁବନେଶ୍ବର ସାଇବର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବା ପରେ ସାଇବର ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।