ତିନି ବର୍ଷରେ ପ୍ରାୟ ୪ ଲକ୍ଷ ଭାରତୀୟ ଛାଡିଛନ୍ତି ନାଗରିକତା

ନୂଆଦିଲ୍ଲୀ (ସଂକେତ ଟିଭି): ୨୦୨୧ରେ ଭାରତର ନାଗରିକତା ଛାଡିଥିବା ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ୨୦୨୦ ମସିହା ତୁଳନାରେ ଏହି ସଂଖ୍ୟା ପାଖାପାଖି ଦ୍ୱିଗୁଣିତ ହୋଇଛି । ସଂସଦରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦେଇଥିବା ସୂଚନା ଅନୁସାରେ ୨୦୨୧ରେ ୧,୬୩,୩୭୦ ଜଣ ନିଜ ନାଗରିକତା ଛାଡିଛନ୍ତି । ଗତ ତିନି ବର୍ଷରେ ମୋଟ ୩,୯୨,୬୪୩ ଜଣ ଭାରତର ନାଗରିକତା ଛାଡିଛନ୍ତି ।

ଲୋକସଭାରେ ବିଏସପି ସାଂସଦ ହାଜି ଫାଜୁଲ ରେହମାନଙ୍କ ଏକ ପ୍ରଶ୍ନର ଜାବବରେ କେନ୍ଦ୍ର ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ବିଏସପି ସାଂସଦ ନିଜ ପ୍ରଶ୍ନର ୨୦୧୯ରୁ କେତେଜଣ ଭାରତୀୟ ସେମାନଙ୍କ ନାଗରିକତା ଛାଡିଛନ୍ତି, ଏହା ପଛର କାରଣ କଣ ଏବଂ କେଉଁ ଦେଶରେ ସେମାନେ ନାଗରିକତା ପାଇଛନ୍ତି ସେ ବାବଦରେ ପ୍ରଶ୍ନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଭାରତୀୟ ନାଗରିକତା ଛାଡିଥିବା ବେଶି ଲୋକେ ଆମେରିକାରେ ରହିବା ପାଇଁ ପସନ୍ଦ କରନ୍ତି । ୨୦୨୦ ମସିହାରେ ୩୦,୮୨୮ ଜଣ ଆମେରିକାର ନାଗରିକତା ପାଇଥିବା ବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୮,୨୮୪ରେ ପହଞ୍ଚିଛି ।

ସେହିପରି ଅଷ୍ଟ୍ରେଲିଆ ଦ୍ୱିତୀୟ ମନ ପସନ୍ଦର ସ୍ଥାନ ହୋଇଛି । ଗତ ବର୍ଷ ୨୩,୫୩୩ ଜଣ ଭାରତୀୟ ନିଜର ନାଗରିକତା ଛାଡି ଅଷ୍ଟ୍ରେଲିଆ ନାଗରିକତା ଗ୍ରହଣ କରିଛନ୍ତି । ୨୦୨୦ରେ ଏହି ସଂଖ୍ୟା ୧୩,୫୧୮ ରହିଥିଲା । ତେବେ ଭାରତୀୟଙ୍କ ଅଧିକ ପସନ୍ଦ ଥିବା କାନାଡା ଏହି ତାଲିକାରେ ତୃତୀୟ ସ୍ଥାନକୁ ଖସିଛି । ୨୦୨୧ରେ ୨୧,୫୯୭ ଜଣ ଭାରତର ନାଗିରକତା ଛାଡି କାନାଡାର ନାଗରିକତା ନେଇଛନ୍ତି ।