ନିର୍ବାଚନରେ ବାଜିମାତ୍, ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ରାନିଲ ବିକ୍ରମସିଂଘେ

କଲମ୍ବୋ (ସଂକେତ ଟିଭି): ଶ୍ରୀଲଙ୍କା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ରାନିଲ ବିକ୍ରମସିଂଘେ । ସାଂସଦମାନେ ତାଙ୍କୁ ନୂଆ ରାଷ୍ଟ୍ରପତି ଭାବେ ଚୟନ କରିଛନ୍ତି । ବିକ୍ରମସିଂଘେ ଏବେ କାର୍ଯ୍ୟକାରୀ ରାଷ୍ଟ୍ରପତି ଅଛନ୍ତି ।ରାଷ୍ଟ୍ରପତି ପଦ ପାଇଁ ତ୍ରିକୋଣୀୟ ଲଢେଇରେ ବିକ୍ରମସିଙ୍ଘେ ସର୍ବାଧିକ ୧୩୪ ଖଣ୍ଡ ଭୋଟ ସହ ବିଜୟ ହାସଲ କରିଛନ୍ତି । ତାଙ୍କ ସପକ୍ଷରେ ୧୩୪ ଖଣ୍ଡ ଭୋଟ ମିଳିଥିବା ବେଳେ ଦୁଲାସ ଅହ୍ଲାପେରୁମାଙ୍କୁ ୮୨ ଖଣ୍ଡ ଭୋଟ ମିଳିଛି ।

ଦେଶବାସୀଙ୍କ ତୀବ୍ର ଆକ୍ରୋଶର ଶିକାର ହୋଇ ଗୋଟାବାୟା ରାଜପକ୍ଷେ ଦେଶ ଛାଡି ପଳାଇବା ପରେ ୨୨୫ ସଦସ୍ୟ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ଆଜି ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା । ମୋଟ ୨୨୩ ଜଣ ସାଂସଦ ଭୋଟ ଦେଇଥିବା ବେଳେ ୨ ଜଣ ଅନୁପସ୍ଥିତ ରହିଥିଲେ । ମୋଟ ୨୨୩ ଭୋଟରୁ ୨୧୯ଟି ଭୋଟ ବୈଧ ହୋଇଥିଲା ଏବଂ ୪ଟି ନାକଚ ହୋଇଯାଇଥିଲା । ସର୍ବାଧିକ ୧୩୪ ଖଣ୍ଡ ସହ ପ୍ରତିଦ୍ବନ୍ଦୀ ଦୁଲାସ ଅହ୍ଲାପେରୁମାଙ୍କୁ ହରାଇ ରାନିଲ ବିକ୍ରମସିଙ୍ଘେ ଅର୍ଥନୈତିକ ସଙ୍କଟ ମଧ୍ୟରେ ଉବୁଟୁବୁ ଦ୍ବୀପଦେଶ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି ।

ନିଜର ବିଜୟକୁ ନେଇ ବିକ୍ରମସିଂଘେ ପ୍ରତିକ୍ରିୟା ଦେଇଛନ୍ତି, ” ଦେଶ ଜଟିଳ ପରିସ୍ଥିତିରେ ଅଛି । ଆଗକୁ ସାମ୍ନାରେ ବଡ ଚ୍ୟାଲେଞ୍ଜ ରହିଛି ।” ବିକ୍ରମସିଙ୍ଘେ ପୂର୍ବରୁ ଶ୍ରୀଲଙ୍କାର ୬ ଥର ପ୍ରଧାନମନ୍ତ୍ରୀ ଥିଲେ ।