ବିଧାୟକ ପାଣ୍ଠି ବୃଦ୍ଧି ପାଇଁ ବିଧାନସଭାରେ ଦାବି କଲେ ବିରୋଧି ଓ ଶାସକ ସଦସ୍ୟ

ଭୁବନେଶ୍ବର (ସଂକେତ ଟିଭି): ବିଧାୟକ ପାଣ୍ଠିର ବୃଦ୍ଧି ପାଇଁ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ବିଧାନସଭାରେ ଦାବି କରିଛନ୍ତି । ଅନ୍ୟପଟେ ବିଧାୟକମାନେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହାର କାର୍ଯ୍ୟକାରୀ ହେବା ନେଇ ଅଧିକାରୀଙ୍କ ସହ ଆଲୋଚନା କରି ଗୃହକୁ ଜଣାଇବାକୁ ଯୋଜନା ଓ ସଂଯୋଜନା ମନ୍ତ୍ରୀଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ତିନି କୋଟି ରହିଛି । ସେଥିରୁ ଦୁଇ କୋଟି ସାଧାରଣରେ ଏବଂ ଉଚ୍ଚଶିକ୍ଷା ପାଇଁ ପଚାଶ ଲକ୍ଷ ଏବଂ ରାସ୍ତାଘାଟ ନିର୍ମାଣ ପାଇଁ ପଚାଶ ଲକ୍ଷ ଦିଆଯାଉଛି ।

ବିଜେଡି ସଞ୍ଜୀବ ମଲିକ କହିଛନ୍ତି ଯେ, ”ରାଜ୍ୟର ବଡ଼ ବଡ଼ ମନ୍ଦିରଗୁଡ଼ିକର ବିକାଶ କାର୍ଯ୍ୟ ଚାଲୁ ରହିଛି । ମାତ୍ର ଗାଁରେ ରହିଥିବା ଛୋଟ ଛୋଟ ମନ୍ଦିରଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ୍ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ ଦୁଇ କୋଟି ବଦଳରେ ତିନି କୋଟି କରାଯାଉ ।”

ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ”ଯେହେତୁ ପଡୋଶୀ ରାଜ୍ୟମାନଙ୍କରେ ବିଧାୟକ ପାଣ୍ଠି ପାଞ୍ଚ କୋଟି ଟଙ୍କା ରହିଛି । ତେଣୁ ଆମ ରାଜ୍ୟରେ ଏହାକୁ ତିନି କୋଟିରୁ ଦଶ କୋଟିକୁ ବୃଦ୍ଧି କରଯାଉ । ସରସ୍ବତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରାଯାଉ ।”

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ଯେ, ”ରାସ୍ତାଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଧାର୍ଯ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ତିନି କୋଟି କରାଯାଉ ।”

ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ”ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାବ ନାହିଁ । ସମୟ ଆସିଲେ ବିଚାର କରାଯିବ । ଗତ ଆର୍ଥିକ ବର୍ଷରେ ବିଧାୟକ ପାଣ୍ଠି ଏକ କୋଟିରୁ ତିନି କୋଟିକୁ ବୃଦ୍ଧି କରାଯାଇଥିଲା ।”

ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଦୁଇ କୋଟି ଥିବାବେଳେ ତେଲେଙ୍ଗାନାରେ ପାଞ୍ଚ କୋଟି, ଛତିଶଗଡ଼ରେ ଚାରି କୋଟି, ଝାଡ଼ଖଣ୍ଡରେ ଚାରି କୋଟି, ମହାରାଷ୍ଟ୍ରରେ ପାଞ୍ଚ କୋଟି ଏବଂ ଉତ୍ତରପ୍ରଦେଶରେ ମଧ୍ୟ ପାଞ୍ଚ କୋଟି ରହିଛି ।