ଦିନ ଦ୍ବିପ୍ରହରରେ ବ୍ୟାଙ୍କରୁ ଲୁଟ୍‌, ୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବସ୍ତା ( ପ୍ରଶାନ୍ତ ସେନାପତି): ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ବରୁଣଗଡିଆ ସ୍ଥିତ ବ୍ୟାଙ୍କ ଅଫ୍ ବରୋଦାରୁ ଆଜି ଅପରାହ୍ନରେ ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଛି । ଦୁର୍ବୃତ୍ତମାନେ ହାତରେ ମାରଣାସ୍ତ୍ର ଧରି ବ୍ୟାଙ୍କ କର୍ମଚାରୀ ଏବଂ ଭିତରେ ଥିବା ଗ୍ରାହକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟି ନେଇଥିଲେ । ସମସ୍ତେ ବଙ୍ଗଳା ଭାଷାରେ କଥା ହେଉଥିଲେ । ୮ ଜଣକ ମଧ୍ୟରୁ ୨ ଜଣ ମୁହଁରେ ମାସ୍କ ଲଗାଇଥିଲେ ।

ସୂଚନା ଅନୁସାରେ, ଆଜି ଅପରାହ୍ନ ୨ଟା ବେଳେ ପ୍ରାୟ ୮ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍‌ ଓ ଗୋଟିଏ ବୋଲେରୋରେ ଦୁର୍ବୁତ୍ତମାନେ ‌ବରୁଣଗଡ଼ିଆ ବ୍ୟାଙ୍କ ଅଫ୍‌ ବରୋଦା ବ୍ରାଞ୍ଚକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ବ୍ୟାଙ୍କ ଭିତରକୁ ପଶିଥିବା ବେଳେ ଅନ୍ୟମାନେ ବ୍ୟାଙ୍କ ବାହାରେ ରହିଥିଲେ। କେହି କିଛି ବୁଝିବା ଆଗରୁ ବ୍ୟାଙ୍କ ଭିତରେ ପଶିଥିବା ଦୁର୍ବୃତ୍ତମାନେ ଗ୍ରାହକଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଡରାଇଥିଲେ ଏବଂ ଚୁପ୍‌ଚାପ୍‌ ରହିବାକୁ କହିଥିଲେ। ଏହା ସହିତ ସେମାନେ ପ୍ରଥମେ ସିସିଟିଭିର କନେକସନ କାଟି ମ୍ୟାନେଜରଙ୍କୁ ବାନ୍ଧି ପକାଇଥିଲେ। ‌ପରେ ସେମାନେ କ୍ୟାସ୍‌ କାଉଣ୍ଟରେ ଥିବା ଟଙ୍କା ନେଇ ବ୍ୟାଙ୍କର ବାହାର ପଟୁ ତାଲା ପକାଇ ସେଠାରୁ ଚମ୍ପଟ ମାରିଥିଲେ।

ଖବର ପାଇ ବସ୍ତା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କକୁ ଥିବା ସବୁ ରାସ୍ତା ସିଲ୍‌ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି। ପ୍ରାଥମିକ ଭାବେ ଯାହା କୁହାଯାଉଛି, ଦୁର୍ବୃତ୍ତମାନେ ବ୍ୟାଙ୍କର ପାଖାପାଖି ୮ ଲକ୍ଷ ଟଙ୍କା ଏବଂ ଜଣେ ଗ୍ରହକଙ୍କ ୬୦ ହଜାର ଟଙ୍କା ନେଇଯାଇଛନ୍ତି।