ଜଙ୍ଗଲରୁ ଏକାଠି ମିଳିଳା ଦିଅର ଭାଉଜଙ୍କ ମୃତ ଦେହ

ବାରିପଦା (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବାଘମୁଣ୍ଡା ଜଙ୍ଗଲରୁ ଜଣେ ମହିଳା ଏବଂ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଉଭୟଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳେ ସ୍ଥାନୀୟ ଲୋକ ପତ୍ର ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖିବା ପରେ କପ୍ତିପଦା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜଣଙ୍କ ବାଘମୁଣ୍ଡା ଗ୍ରାମର କାର୍ମି ବେସରା ଏବଂ ଯୁବକ ଜଣଙ୍କ ଘୁଁଟିବିଲ ଗ୍ରାମର ପୀତାମ୍ବର ବେସରା । ମୃତକ ଦୁଇ ଜଣ ସମ୍ପର୍କରେ ଭାଉଜ ଏବଂ ଦିଅର ହେବେ ବୋଲି ଜଣାପଡିଛି ।

ତେବେ ଗତ ମଙ୍ଗଳବାରରୁ ଉଭୟ ଘରୁ ବାହାରି ଆସିଥିବା ବେଳେ ତାଙ୍କ ମୃତଦେହ ଶନିବାର ଗୋଟିଏ ସ୍ଥାନରୁ ମିଳିଛି । ପାରିପାର୍ଶ୍ଵିକ ପରିସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।