ନେହେରୁଙ୍କ ନୀତି ଠିକ ନଥିଲା ହେଲେ ତାଙ୍କ ଉଦ୍ଦେଶ୍ୟ କେବେ ଖରାପ ନଥିଲା : ରାଜନାଥ ସିଂହ

ଜମ୍ମୁ (ସଂକେତ ଟିଭି): ନେହେରୁ ଆପଣେଇଥିବା ନୀତି ଠିକ ନଥିଲା ହେଲେ ଏଥି ଲାଗି ତାଙ୍କ ଉଦ୍ଦେଶ୍ୟ ଖରାପ ନ ଥିଲା । ଏହା କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ରାଜନାଥ ରବିବାର ଜମ୍ମୁରେ ଅନୁଷ୍ଠିତ କାର୍ଗିଲ ବିଜୟ ଦିବସ ସମାରୋହରେ ଯୋଗ ଦେଇ ଭାରତୀୟ ସେନାର ବଳିଦାନକୁ ମନେ ପକାଇଛନ୍ତି। ଏହି ଅବସରରେ ସେ ୧୯୬୨ ଚୀନ୍‌ ଆକ୍ରମଣ କଥା ମଧ୍ୟ ମନେ ପକାଇଥିଲେ। ଏଥିଲାଗି ଅନେକ ଲୋକେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସମାଲୋଚନା କରନ୍ତି ବୋଲି କହିଥିଲେ। ତେବେ ପ୍ରସଙ୍ଗରେ ମୁଁ କୌଣସି ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା କରିବାକୁ ଚାହେଁନା ବୋଲି ରାଜନାଥ କହିଛନ୍ତି।

ସେ କହିଛନ୍ତି ଯେ ହୁଏତ ନେହେରୁ ଆପଣେଇଥିବା ନୀତି ଠିକ ନଥିଲା ହେଲେ ଏଥି ଲାଗି ତାଙ୍କ ଉଦ୍ଦେଶ୍ୟ ଖରାପ ଥିଲା ବୋଲି କୁହାଯାଇନପାରେ। କାହାର ଉଦ୍ଦେଶ୍ୟ କେବେ ଖରାପ ହୋଇ ନପାରେ। ତେବେ ସେଦିନ ଓ ଆଜିରେ ବହୁତ ଫରକ। ଆଜି ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆତ୍ମନିର୍ଭର ହେଉଛି। ବିଶ୍ୱର ଭାରତର ଛବି ମଧ୍ୟ ବଦଳିଛି। ଏବେ ଭାରତ କିଛି କହିଲେ ଦୁନିଆ ଶୁଣୁଛି। ୧୯୬୨ ମସିହାରେ ଆମର ଯେଉଁ କ୍ଷତି ହୋଇଥିଲା ଲୋକେ ସେ ବାବଦେ ଭଲ ରୂପେ ଜାଣିଛନ୍ତି। ସେହି କ୍ଷତିର ଆଜି ପର୍ଯ୍ୟନ୍ତ ଆମେ ଭରଣା କରିପାରିନେ। ହେଲେ ଆଜି ଭାରତ ଯେଉଁ ବେଗରେ ଆଗକୁ ବଢୁଛି ଏଥିରୁ ଭାରତ ବିଶ୍ୱର ଏକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଥିବା ରାଜନାଥ କହିଛନ୍ତି।

ପାକ୍ ଅଧିକୃତ କାଶ୍ମୀର (ପିଓକେ) ସମ୍ପର୍କରେ ମଧ୍ୟ ରାଜନାଥ କହିଛନ୍ତି। ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତ ସଂସଦରେ ପ୍ରସ୍ତାବ ଗୃହୀତ ହୋଇଥିଲା। ପିଓକେ ଭାରତର ଅଂଶ ଥିଲା ଅଛି ଓ ରହିବ ବୋଲି କହିଛନ୍ତି। ଆମେ ଦେଶ ସେବାରେ ନିଜ ପ୍ରାଣ ଉତ୍ସର୍ଗ କରିଥିବା ଲୋକଙ୍କୁ ସ୍ମରଣ କରୁଛେ। ଆମ ସେନା ଦେଶ ଲାଗି ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ୧୯୯୯ ମସିହା ଯୁଦ୍ଧରେ ଆମର ଅନେକ ବୀର ଜବାନ ସେମାନଙ୍କ ପ୍ରାଣ ବଳି ଦେଇଛନ୍ତି ସେମାନଙ୍କୁ ନମନ କରୁଛି ବୋଲି ରାଜନାଥ କହିଛନ୍ତି। ତେବେ କାର୍ଗିଲ ବିଜୟ ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମର ଗୌରବପୂର୍ଣ୍ଣ ଅଧ୍ୟାୟ ବୋଲି କହିଛନ୍ତି।