ଉଡନ୍ତା ବିମାନରେ ଅସୁସ୍ଥ ହେଲେ ଯାତ୍ରୀ, ଚିକିତ୍ସା କଲେ ରାଜ୍ୟପାଳ

ହାଇଦ୍ରାବାଦ (ସଂକେତ ଟିଭି): ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଆଇପିଏସ୍ ଅଫିସରଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜୀବନ ବଞ୍ଚାଇବାକୁ ସିଟ୍ ଛାଡ଼ି ଚାଲି ଆସିଲେ ରାଜ୍ୟପାଳ। ନିଜେ ପେଷାରେ ଜଣେ ଡାକ୍ତର ହୋଇଥିବାରୁ ଆଇପିଏସ୍ ଅଫିସରଙ୍କୁ ଜୀବନ ବଞ୍ଚାଇଲେ ରାଜ୍ୟପାଳ।

ସୂଚନା ଅନୁସାରେ, ବିମାନରେ ଯାତ୍ରୀମାନଙ୍କ ସହ ତେଲେଙ୍ଗାନା ରାଜ୍ୟପାଳ ତମିଲିସାଇ ସୁନ୍ଦରରାଜନ ବସିଥିଲେ। ସେହି ବିମାନରେ ପୁଲିସ ରେଙ୍କର ଆଇପିଏସ୍ ଅଫିସର କୃପାନନ୍ଦ ତ୍ରିପାଠୀ ଉଜ୍ଜେଲା ବି ବସିଥିଲେ। ହେଲେ ହଠାତ୍ କୃପାନନ୍ଦଙ୍କ ଛାତିରେ ଯନ୍ତ୍ରଣା ହେବା ସହ ତାଙ୍କୁ ନିଶ୍ୱାସ ନେବାକୁ କଷ୍ଟ ହୋଇଥିଲା। ଏହି ସମୟରେ ରାଜ୍ୟପାଳ ଆସି ତାଙ୍କ ଡାକ୍ତରୀ ବିଦ୍ୟାରେ ଅଫିସରଙ୍କ ଚିକିତ୍ସା କରିଥିଲେ। ଏ ମମସ୍ତ ଦୃଶ୍ୟକୁ ଜଣେ ଯାତ୍ରୀ ନିଜ ମୋବାଇଲ୍‌ରେ କଏଦ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ତାଙ୍କ ପୋଷ୍ଟରେ ରାଜ୍ୟପାଳ ଅଫିସରଙ୍କୁ ଚିକିତ୍ସା କରୁଥିବାର ଦେଖାଯାଉଛି। ବର୍ତ୍ତମାନ ଅଫିସର ଜଣଙ୍କ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଛି।

୧୯୯୪ ବେଚ୍‌ର ଆଇପିଏସ ଅଫିସର ଶ୍ରୀ ତ୍ରିପାଠୀ କହିଛନ୍ତି “ମ୍ୟାଡମ ରାଜ୍ୟପାଳ ମୋ ଜୀବନ ବଞ୍ଚାଇଲେ। ସେ ମାଆ ଭଳି ମୋତେ ସହଯ୍ୟ କଲେ। ନହେଲେ ମୁଁ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚିପାରି ନଥାନ୍ତି।” ଆନ୍ଧ୍ରପ୍ରଦେଶ କ୍ୟାଡର ଅଫିସର ଶ୍ରୀ ତ୍ରିପାଠୀ ବର୍ତ୍ତମାନ ଏଡିଜିପି(ସଡ଼କ ସୁରକ୍ଷା) ନିଯୁକ୍ତ ଅଛନ୍ତି।

ଶୁକ୍ରବାର ମଧ୍ୟ ରାତ୍ରୀରେ ଏଭଳି ଘଟଣା ଘଟିଥିବା ବେଳେ ଏନେଇ ସୂଚନା ଦେଇ ଉଜେଲା କହିଛନ୍ତି “ଯେତେବେଳେ ମ୍ୟାଡମ ମୋ ହାର୍ଟବିଟ୍ ମାପିଲେ ସେତେବେଳେ ଏହା ୩୯ ଥିଲା। ଏହାପରେ ସେ ମୋତେ ନଇଁ ପଡ଼ି ଆରାମ କରିବାକୁ ପରାମର୍ଶ ଦେଇଥିଲେ। ଫଳରେ ମୋ ଶ୍ୱାସକ୍ରିୟା ସ୍ଥିର ହୋଇଥିଲା।” ଏହାପରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା।