ଲୋକସଭାରୁ ନିଲମ୍ବିତ ହେଲେ ୪ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ (ସଂକେତ ଟିଭି): ଚାରି ଜଣ କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ନିଲମ୍ବିତ କଂଗ୍ରେସ ସାଂସଦମାନେ ହେଉଛନ୍ତି ମନିକମ ଟାଗୋର , ଜୋଥିମନି, ରମ୍ୟା ହରିଦାସ ଓ ଟି.ଏନ୍ ପ୍ରତାପନ୍ ।

ଦେଶରେ ଦରବୃଦ୍ଧିକୁ ନେଇ ସାଂସଦମାନେ ସଂସଦ ଗୃହ ଭିତରେ ପ୍ଲାକାର୍ଡ ଧରି ଜୋରଦାର ବିରୋଧ କରିଥିଲେ । ଏହାପୂର୍ବରୁ ବାଚସ୍ପତି ଓମ ବିର୍ଲା ସେମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସେମାନେ ପ୍ଲାକାର୍ଡ ସହିତ ବିରୋଧ କରିବାକୁ ଚାହାଁନ୍ତି, ତେବେ ସେମାନେ ସଂସଦ ବାହାରେ କରନ୍ତୁ, ଗୃହ ଭିତରେ ମର୍ଯ୍ୟାଦା ବଜାୟ ରଖନ୍ତୁ ।

ବାଚସ୍ପତି ବିରୋଧୀ ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେ ଅପରାହ୍ନ ୩ ଟା ପରେ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଗୃହ ଭିତରେ କୌଣସି ବିରୋଧକୁ ବରଦାସ୍ତ କରିବେ ନାହିଁ । ବାଚସ୍ପତି କହିଥିଲେ, “ଯଦି ଆପଣ ପ୍ଲାକାର୍ଡ ଦେଖାଇ ବିରୋଧ କରିବାକୁ ଚାହାଁନ୍ତି, ତେବେ ଗୃହ ବାହାରେ ତାହା କରନ୍ତୁ । ମୁଁ ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ମୋର ଦୟା ମୋର ଦୁର୍ବଳତା ବୋଲି ମୁଁ ଭାବୁନାହିଁ ।” ଏହାପରେ ସେ କାର୍ଯ୍ୟକାଳ ଆସନ୍ତାକାଲି ସ୍ଥଗିତ ରଖି ଦେଇଥିଲେ ।

ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ନିମ୍ନ ଗୃହରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ ବିରୋଧୀ ସାଂସଦମାନେ ମୁଦ୍ରାସ୍ଫୀତି, ଏଲପିଜି ମୂଲ୍ୟରେ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ଲାକାର୍ଡ ଧରିଥିବାର ନଜର ଆସିଥିଲେ । ଏହା ପରେ ଚାରିଜଣ କଂଗ୍ରେସ ସାଂସଦଙ୍କୁ ବାକିଥିବା ଅଧିବେଶନ ପାଇଁ ନିଲମ୍ବିତ କରାଯାଇଥିଲା ।

ସାଂସଦଙ୍କ ନିଲମ୍ବନ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏକ ବୟାନ ମଧ୍ୟ ଜାରି କରାଯାଇଛି । କଂଗ୍ରେସ କହିଛି ଯେ ଆମ ସାଂସଦମାନଙ୍କୁ ନିଲମ୍ବନ କରି ସରକାର ଆମକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଥିଲେ ।