ଅର୍ଥ ନେଣଦେଣ ମାମଲାରେ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ (ସଂକେତ ଟିଭି): ଆମ୍ରପଲୀ ଗ୍ରୁପ ଏବଂ ଧୋନୀଙ୍କ ମଧ୍ୟରେ ଚାଲିଥିବା ଅର୍ଥ ନେଣଦେଣ ମାମଲାରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ମାମଲା ହାଇକୋର୍ଟରୁ ଯାଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୋମବାର ଏହା ଉପରେ ସର୍ବୋଚ୍ଚ ଶୁଣାଣି କରିଛନ୍ତି।

ସୂଚନା ଅନୁସାରେ, ଧୋନୀ ଆମ୍ରପଲୀ ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ। ତାଙ୍କୁ ଆମ୍ରପଲୀ ଗ୍ରୁପଠୁ ୧୫୦ କୋଟି ଟଙ୍କା ପାଇବାର ଅଛି। ସେପଟେ ଗ୍ରୁପ ତରଫରୁ ଗ୍ରାହକମାନଙ୍କୁ ଏପର୍ଯ୍ୟନ୍ତ ଫ୍ଲାଟ ମିଳିନାହିଁ ।

ଆମ୍ରପଲୀ ଗ୍ରୁପ ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ଏହି କେସ୍ ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଚାଲିଥିଲା। ବିବାଦର ସମାଧାନ ପାଇଁ ଦିଲ୍ଲୀ ହାଇକୋର୍ଟ ଦ୍ଵାରା ଏକ କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ବୀଣା ବୀରବଲଙ୍କ ନେତୃତ୍ଵରେ ଗଠିତ ଏହି କମିଟିକୁ ବିବାଦର ସମାଧାନ କରିବାକୁ କୁହାଯାଇଥିଲା।

ସେପଟେ କମିଟି ଉପରେ ଭରଶା ନକରି ପିଡୀତମାନଙ୍କ ଦ୍ୱାରା ଏହି ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ବେଳେ ପୀଡିତ ମାନଙ୍କ ପକ୍ଷରୁ ଯୁକ୍ତି ରଖାଯାଇଥିଲା କି ଆମ୍ରପାଲି ଗ୍ରୁପ ପାଖରେ ଅର୍ଥର ଅଭାବ ଥିବାରୁ ସେମାନଙ୍କ ଦ୍ୱାରା ବୁକ୍ କରାଯାଇଥିବା ଫ୍ଲାଟ ଏପର୍ଯ୍ୟନ୍ତ ପାଇପାରି ନାହାଁନ୍ତି ।

ପୀଡିତଙ୍କ ପକ୍ଷରୁ କୁହାଯାଇଥିଲା କି , ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଯେଉଁ କମିଟି ଗଠନ କରାଯାଇଥିଲା ସେହି କମିଟି ପାଖରେ ଧୋନୀ ନିଜର ବକେୟା ୧୫୦ କୋଟି ଟଙ୍କା ପାଇବାକୁ ଆବେଦନ କରିଥିଲେ । ମହେନ୍ଦ୍ରସିଂ ଧୋନୀ ଆମ୍ରପାଲି ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ଥିଲେ । ଏହି ବାବଦରେ ତାଙ୍କୁ ଗ୍ରୁପ ତରଫରୁ ୧୫୦ କୋଟି ଟଙ୍କା ପ୍ରଦାନ କରାଯିବାର ଥିଲା । ଏହାକୁ ନେଇ ପୀଡିତମାନେ ଅଭିଯୋଗ କରିଥିଲେ କି ଯଦି ଆମ୍ରପାଲି ଗ୍ରୁପ ଧୋନୀଙ୍କୁ ୧୫୦ କୋଟି ଟଙ୍କା ବକେୟା ପାଉଣା ପ୍ରଦାନ କରୁଛି ତେବେ ସେମାନଙ୍କୁ ଫ୍ଲାଟ ଯୋଗାଇଦେବାକୁ ଅକ୍ଷମ ହେବ ଆମ୍ରପାଲି ଗ୍ରୁପ ।

ଏହି କାରଣରୁ ଏବେ ସୁପ୍ରିମକୋର୍ଟ ତରଫରୁ ମହେନ୍ଦ୍ରସିଂ ଧୋନୀ ଓ ଆମ୍ରପାଲି ଗ୍ରୁପକୁ ନୋଟିସ କରାଯାଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ସୁପ୍ରିମ କୋର୍ଟ ତରଫରୁ ଦିଲ୍ଲୀ ହାଇକୋର୍ଟ ଦ୍ୱାରା ଗଠିତ ହୋଇଥିବା କମିଟିର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛି ।