ଭୁଜାଲିରେ ହାଣି ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୨୫ ହଜାର ଟଙ୍କା

ବସ୍ତା ( ପ୍ରଶାନ୍ତ ସେନାପତି ): ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଅଣ୍ଡର ବାଇପାସ୍ ନିକଟରେ ଲିଫ୍ଟ ମାଗିବା ବାହାନାରେ ରାସ୍ତା ଯାଉଥିବା ବ୍ୟବସାୟୀଙ୍କୁ ଅଟକାଇ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରି ୨୫ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୯ଟା ସମୟରେ ଲକ୍ଷ୍ମଣପଡା ଗ୍ରାମର ବ୍ୟବସାୟୀ ପଞ୍ଚାନନ ମହାନ୍ତି ନିଜ ଦୋକାନ ପାଇଁ ଜିନିଷ ଆଣିବାକୁ ବାଇକ୍‌ରେ ଜଳେଶ୍ବର ଯାଉଥିଲେ । ସେହି ସମୟରେ ଦୁଇଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଲିଫ୍ଟ ମାଗିବା ବାହାନାରେ ଅଟକାଇ ଥିଲେ । ପଞ୍ଚାନନ ବାଇକ ସ୍ଲୋ କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଛଟପଟ ହେଉଥିବା ବେଳେ ବାଇକ୍ ଡିକି ଭାଙ୍ଗି ସେଥିରେ ଥିବା ୨୫ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକେ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।