ପିଅନଠାରୁ ଲାଞ୍ଚ ନେଲାବେଳେ ଧରାପଡିଲେ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦ୍ରାପଡା (ସଂକେତ ଟିଭି) ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆଉ ମାତ୍ର ୩ ଦିନ ପରେ ଏହି ଜିଲ୍ଲା ଶିକ୍ଷା ଅଧିକାରୀ ଜଣକ ଅବସର ନେଇଥାଆନ୍ତେ ।

ସୂଚନା ଅନୁସାରେ, କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ନିମପୁର ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଲାଞ୍ଚ ନେଉଥିଲେ । ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ଏହି ସମୟରେ ଭିଜିଲାନ୍ସ ଚଝାଉ କରି ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଥିଲା । ଏହା ପରେ ଭିଜିଲାନ୍ସ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭଡା ଘର ସମେତ କଟକ ସ୍ଥିତ ଘର, ବାଲେଶ୍ବର ସ୍ଥିତ ପୈତୃକ ଘରେ ଏକକାଳୀନ ଚଢାଉ କରୁଥିବା ଜଣାପଡିଛି । ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଛାନଭିନ୍ ଜାରି ରଖିଛି ଭିଜିଲାନ୍ସ ଟିମ୍ ।