EntertainmentFeaturedLatest

ବାଲକୋନିରେ ମାଆଙ୍କ ସହ ନଜର ଆସିଲେ ବାବୁସାନ, କହିଲେ- ଠିକ୍‌ ସମୟରେ ଠିକ୍‌ ସୂଚନା ଦେବି

ଭୁବନେଶ୍ୱର (ସଂକେତ ଟିଭି ) ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଘରୁ ଅଭିନେତା ବାବୁସାନ୍‌ ମହାନ୍ତି ବାଲକୋନୀରେ ବାହାରକୁ ବାହାରି ନିଜ ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଏବେ ମୋ ଦେହ ଭଲ ନାହିଁ , ଠିକ ସମୟରେ ମୁଁ ଠିକ୍ ସୂଚନା ଦେବି ବୋଲି ବାବୁସାନ କହିଛନ୍ତି।

ସୂଚନା ଅନୁଯାୟୀ, ବାବୁସାନ ମଙ୍ଗଳବାର ଦିନ ବିମାନ ଯୋଗେ ଚେନ୍ନାଇରୁ ଫେରିଥିଲେ । ଏହାପରେ କାର୍ ଯୋଗେ ସେ ବରମୁଣ୍ଡା ସ୍ଥିତ ବାସଭବନକୁ ଆସିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ଘର ସମ୍ମୁଖରେ ବାବୁସାନ୍‌ଙ୍କ ପ୍ରତିକ୍ରିୟା ନେବାକୁ ଭିଡ ଲଗାଇଥିଲେ । କିନ୍ତୁ ପରିବାର ପକ୍ଷରୁ କୁହାଯାଇଥିଲା କି, ବାବୁସାନ୍‌ ଏବେ ରେଷ୍ଟ ନେଉଛନ୍ତି । ମାନସିକ ସ୍ଥିତି ଟିକିଏ ଦୁର୍ବଳ ଅଛି । ତେଣୁ ୨ ଦିନ ସମୟ ଦିଅନ୍ତୁ । ସେ ନିଜେ ଆସି ଗଣମାଧ୍ୟମ ସମ୍ମୁଖରେ ସବୁ କଥା କହିବେ ବୋଲି କହିଥିଲେ ।

ଏପଟେ ମାଆ ଅପରାଜିତା ଘର ଆଗରେ କିଛି ଅଚିହ୍ନା ଲୋକ ଥିବା କହି ପୋଲିସକୁ ସୁରକ୍ଷା ମାଗିଥିଲେ । ସେ କହିଥିଲେ କି, ଘର ଆଗରେ ଥିବା ଗଣମାଧ୍ୟମ ସହିତ କିଛି ଅଚିହ୍ନା ଲୋକ ଅଛନ୍ତି । ତେଣୁ ଆମକୁ ସୁରକ୍ଷା ଯୋଗାଇ ଦିଆଯାଉଛି । ଏନେଇ ଅପରାଜିତା କମିଶନରେଟ୍‌ ପୋଲିସ ସହ କଥା ହୋଇଥିଲା ।

ସେହିପରି ଅନ୍ୟପଟେ ଗିରଫଦାରୀ ଆଶଙ୍କାରେ ବାବୁସାନ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି। ପତ୍ନୀ ତ୍ରିପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି । ତାଙ୍କ ନାଁରେ ଦଫା ୪୯୮(କ), ୫୦୬ ମାମଲା ରୁଜୁ ହୋଇଛି । ତେଣୁ ଗିରଫ ଭୟରେ ବାବୁସାନ ବୁଧବାର ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।