ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରିପଦରୁ ବିଦା କଲେ ମମତା ବାନାର୍ଜୀ

କୋଲକାତା (ସଂକେତ୍ ଟିଭି) ମନ୍ତ୍ରୀପଦରୁ ହଟିଲେ ଦୁର୍ନୀତି ଅଭିଯୁକ୍ତ ପ୍ରାର୍ଥ ଚାଟାର୍ଜୀ। ଆଜି ଏନେଇ କ୍ୟାବିନେଟ୍ ବୈଠକ ଡକାଇଥିଲେ ମମତା ବାନାର୍ଜୀ। ଏହି ବୈଠକରେ ପାର୍ଥଙ୍କୁ ସମସ୍ତ ପଦରୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ। ଗିରଫ ପରେ ତାଙ୍କ ସହଯୋଗୀ ଅର୍ପିତାଙ୍କ ଘରୁ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ପାର୍ଥ ବର୍ତ୍ତମାନ ଟିଏମ୍‌ସି ସରକାରରେ ଉଦ୍ୟୋଗ ଓ ସଂସଦୀୟ କାର୍ଯ୍ୟମନ୍ତ୍ରୀ ପଦରେ ଥିଲେ।

ମମତା ଆଜି ଏ ସମ୍ପର୍କିତ ଆଲୋଚନା ପାଇଁ କ୍ୟାବିନେଟ୍ ବୈଠକ ଡକାଇଥିଲେ। ଏହି ବୈଠକରେ ପାର୍ଥଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲା। ବୈଠକ ଶେଷ ପରେ ଆଶଙ୍କା ସତ ହୋଇଛି। ତେବେ ଏହା ପୂର୍ବରୁ ପାର୍ଥଙ୍କୁ ନେଇ ନିରବ ରହୁଥିଲେ ମମତା। କିଛି ଦିନ ପରେ ମୁହଁ ଖୋଲି କହିଥିଲେ ଯଦି ପାର୍ଥ ସେମିତି କରିଛନ୍ତି ତେବେ ତାଙ୍କୁ ଆଜୀବନ ସଜା ହେଲା ବି ମନଦୁଃଖ ନାହିଁ। ଏହାପରେ ଦଳର ଅନ୍ୟ କୌଣସି ନେତାଙ୍କୁ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନିରବତା ନେଇ ସମାଲୋଚନାର ଶିକାର ହେବା ପରେ ମମତା ଆଜି ନିଜର ଛବି ନିର୍ମଳ ରଖିବାକୁ ଏଭଲି ପଦକ୍ଷେପ ନେଇଛନ୍ତି।

ଏପଟେ ଆପାର୍ଟମେଣ୍ଟରୁ ଟଙ୍କା ବାହାରିବା ନେଇ ଇଡିକୁ ସତ କଥା କହିଛନ୍ତି ଅଭିନେତ୍ରୀ ଅର୍ପିତା ଚାଟାର୍ଜୀ। ପାର୍ଥ ତାଙ୍କର ସମସ୍ତ କଳା ଟଙ୍କା ରଖିବା ପାଇଁ ସେ ଅର୍ପିତାଙ୍କ ଘରକୁ ବ୍ୟବହାର କରୁଥିଲେ ବୋଲି ଅର୍ପିତା ମାନିଯାଇଛନ୍ତି। ପାର୍ଥଙ୍କୁ ଦଳରୁ ବହିସ୍କାର କରିବା ପାଇଁ ଦଳର ସାଧାରଣ ସମ୍ପାଦକ ଓ ପ୍ରବକ୍ତା କୁନାଲ ଘୋଷ କହିଥିଲେ। ତାଙ୍କୁ ଦଳରୁ ବାହାର କରିଦେବା ଉଚିତ୍ ବୋଲି ସେ ଟ୍ୱିଟ୍ କରି ସୂଚନା ଦେଇଥିଲେ।