ଘରର ବିଦ୍ୟୁତ ବିଲ୍ ଆସିଲା ୩୪୧୯କୋଟି ଟଙ୍କା, ଘର ମାଲିକ ହସ୍ପିଟାଲରେ ଭର୍ତ୍ତି

ଭୋପାଳ (ସଂକେତ ଟିଭି) ମଧ୍ୟପ୍ରଦେଶ ଗ୍ୱାଲିୟରରେ ରହୁଥିବା ପ୍ରିୟଙ୍କା ଗୁପ୍ତାଙ୍କୁ ସେତେବେଳେ ଶକ୍ତ ଧକ୍କା ଲାଗିଥିଲା ଯେତେବେଳେ ତାଙ୍କ ନାଁରେ ୩୪୧୯ କୋଟି ଟଙ୍କାର ବିଦ୍ୟୁତ ବିଲ୍ ଆସିଥିଲା । ବିଦ୍ୟୁତ ବିଲ୍ ନେଇ ସୂଚନା ପାଇବା ପରେ ପ୍ରିୟଙ୍କାଙ୍କ ଶ୍ୱଶୁର ଅସୁସ୍ଥ ହୋଇପଡିଥିଲେ । ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ସଞ୍ଚାଳିତ ବିଦ୍ୟୁତ କମ୍ପାନୀ ଏଥିପାଇଁ ମାନବୀୟ ତ୍ରୁଟିକୁ ଦାୟୀ କରିଛି । ଏହାସହ ସହରର ଶିବ ବିହାର କଲୋନୀରେ ରହୁଥିବା ଗୁପ୍ତା ପରିବାରକୁ ୧୩୦୦ ଟଙ୍କାର ଏକ ସଠିକ୍ ବିଲ୍ ପ୍ରଦାନ କରିଛି ।

ପ୍ରିୟଙ୍କା ଗୁପ୍ତାଙ୍କ ସ୍ୱାମୀ ସଞ୍ଜୟ କହିଛନ୍ତି ଯେ, ଜୁଲାଇ ମାସରେ ଏତେ ଟଙ୍କାର ବିଦ୍ୟୁତ ବିଲ୍ ଦେଖିବା ପରେ ତାଙ୍କ ବାପା ଅସୁସ୍ଥ ହୋଇପଡିଥିଲେ । ସେ ଦାବି କରିଛନ୍ତି ଯେ, ଜୁଲାଇ ୨୦ରେ ତାଙ୍କ ପରିବାର ନାଁରେ ଜାରି ହୋଇଥିବା ବିଦ୍ୟୁତ ବିଲ୍‌ ମଧ୍ୟପ୍ରଦେଶ ମଧ୍ୟକ୍ଷେତ୍ର ବିଦ୍ୟୁତ ବିତରଣ କମ୍ପାନୀ ପୋର୍ଟାଲ ମାଧ୍ୟମରେ କ୍ରସ୍‌ ଭେରିଫାଏଡ କରାଯାଇଥିଲା । କିନ୍ତୁ ଏହା ସଠିକ୍ ବୋଲି ଜଣାପଡିଥିଲା । ପରେ ରାଜ୍ୟ ବିଦ୍ୟୁତ କମ୍ପାନୀ ବିଲକୁ ସଂଶୋଧନ କରିଥିଲା ।

ବିଦ୍ୟୁତ କମ୍ପାନୀର ମହାପ୍ରବନ୍ଧକ ନୀତିନ ମାଙ୍ଗଲିକ୍ ଅଧିକ ବିଦ୍ୟୁତ ବିଲ୍ ପାଇଁ ମାନବୀୟ ତ୍ରୁଟିକୁ ଦାୟୀ କରିବା ସହ ସମ୍ପୃକ୍‌ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି । ସେ କହିଛନ୍ତି, ଜଣେ କର୍ମଚାରୀ ସଫ୍ଟୱେୟାରରେ ବ୍ୟବହାର ହୋଇଥିବା ୟୁନିଟ୍ ସ୍ଥାନରେ ଉପଭୋକ୍‌ତାଙ୍କ ସଂଖ୍ୟା ଆଡ୍‌ କରିଦେଇଥିଲେ । ଫଳରେ ଅଧିକ ବିଲ୍ ଆସିଥିଲା । ବିଦ୍ୟୁତ ଉପଭୋକ୍‌ତାଙ୍କୁ ୧୩୦୦ଟଙ୍କାର ସଠିକ୍ ବିଲ୍ ପ୍ରଦାନ କରାଯାଇଛି ।