ଚରମ ସୀମାରେ ପହଞ୍ଚିଛି ରାଜ୍ୟରେ ପିସି କାରବାର

ଭୁବନେଶ୍ବର ( ସଂକେତ୍ ଟିଭି) ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଞ୍ଚିଛି । ଗ୍ରାମାଞ୍ଚଳ, ବ୍ଲକ୍‌ ଅଫିସ୍‌ ଠାରୁ ଆରମ୍ଭ କରି ନିର୍ଦ୍ଦେଶାଳୟ ପର୍ଯ୍ୟନ୍ତ ଦୁର୍ନୀତି ଲମ୍ବିଛି । ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି । ସବୁ ବର୍ଗର ଅଧିକାରୀ ଏଥିରେ ସାମିଲ ଅଛନ୍ତି । ମୁଖ୍ୟମନ୍ତ୍ରୀ ଷ୍ଟପ୍‌ ପିସି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢିଛି । ବିଜେଡି ସରକାର ନୁହେଁ ବରଂ ଏହା ପିସି ସରକାର । ଏମିତି ଗୃହରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟ ।

ପିସି କାରବାର ଓ ଦୁର୍ନୀତି ସମ୍ପର୍କିତ ମୁଲତବୀ ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, ରାଜରେ ପିସି କାରବାର ମହାମାରୀ ଭାବେ ବାଢ଼ିଚାଲିଛି । ପିସି ବନ୍ଦ କରିବାକୁ ମୁଖମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପିସି ବଢ଼ିବାରେ ଲାଗିଛି । ଖୋଦ ଦୁର୍ନୀତି ନିବାରଣ ବିଭାଗର ଜଣେ ଇନ୍ସପେକଫର ଲାଞ୍ଚ ନେଇ ଧରାପଡ଼ିଛନ୍ତି। ସବୁ ବିଭାଗରେ ଦୁର୍ନୀତିର ଚେର ଲମ୍ବିଯାଇଛି। ନିମାପଡ଼ାରେ କୋଟିପତି ସହକାରୀ ଯନ୍ତ୍ରୀ ଧରାପଡ଼ୁଥିବାବେଳେ ଭଞ୍ଜନଗର ଜଣେ କୋଟିପତି ଯନ୍ତ୍ରୀ ବି ଧରା ହୋଇଛନ୍ତି। ଭଞ୍ଜନଗରରେ ସେ ୨୨ ବର୍ଷ ଧରି ଅବସ୍ଥାନ କେମିତି କରିଥିଲେ? ଗତ ୧୭ ମାସରେ ୩୩ଜଣ ପୋଲିସ ଅଧିକାରୀ ଦୁର୍ନୀତି ଅଭିଯୋଗରେ ବନ୍ଧା ହେଲେଣି। ଜଣେ ପୋଲିସ କନଷ୍ଟେବଳ ୭ କୋଟିର ସମ୍ପତ୍ତି ଠୁଳ କରିଥିବା ଚଢ଼ାଉବେଳେ ଜଣାପଡ଼ିଲା। ଇ- ଟେଣ୍ଡରରେ ବି ଦୁର୍ନୀତି ଚାଲିଛି ବୋଲି ସେ ଅଭିଯୋଗ କରିଥିଲେ।

ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ କହିଛନ୍ତି, ରାଜ୍ୟରେ ଏବେ ଦୁର୍ନୀତି ନୀତିରେ ପରିଣତ ହୋଇଛି। ଦୁର୍ନୀତି ପାଇଁ ତହସିଲଦାରମାନେ ଆଜିକାଲି ବେଶି ଧରାପଡୁଛନ୍ତି। ଠିକାଦାରମାନେ ଜେଇ ଓ ଆସିଷ୍ଟା ଇଞ୍ଜିନିୟରଙ୍କୁ ପିସି ଦେଉଛନ୍ତି। ଦୁର୍ନୀତି ଧରପଗଡ଼ରେ ଛୋଟ ମାଛମାନେ ଧରାପଡୁଛନ୍ତି।

ବିଜେପି ବିଧାୟକ ସନାତନ ବିଜୁଳି କହିଲେ, ବିଜେଡି ସରକାରଙ୍କ ନାମ ବଦଳାଇ ପିସି ସରକାର କରିଦେବା କଥା । ବ୍ଲକ ଅଫିସରେ ବ୍ୟାପକ ଦୁର୍ନୀତି ହେଉଛି। ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ରାଜ୍ୟ ସରକାରରେ ଅଫିସରମାନେ ସର୍ବେସର୍ବା । ରାଜଧାନୀରେ ଅଫିସରମାନଙ୍କର ବଡ଼ ବଡ଼ ଅଟ୍ଟାଳିକା ଓ ପ୍ଲଟ ରହିଛି। ପିସି କାରବାର ଟଙ୍କାରେ ସେମାନେ ଚଳୁଛନ୍ତି । ଦୁର୍ନୀତି ଧରପଗଡ଼ବେଳେ କେବଳ ଛୋଟ ମୂଷାଙ୍କୁ ଧରାଯାଉଛି। ବଡ଼ ମୂଷାଙ୍କୁ ଧରିଲେ ସରକାରଙ୍କର ଭାବମୂର୍ତ୍ତି ବଢ଼ିବ। କିଏ କେତେ ପିସି ନେବ ସବୁ ଫିକ୍ସ ହୋଇଯାଇଛି। ଖାଲି ଦୁର୍ନୀତି ମାମଲାରେ ଧରିବା ବଡ଼ କଥା ନୁହେଁ, ନେକ ଖସିଯାଉଛନ୍ତି। ବଡ଼ କଥା ହେଲା, ଦୋଷୀ ସାବ୍ୟସ୍ତ କରାଇବା।

କଂଗ୍ରେସ ବିଧାୟକ ତାରାପ୍ରସାଦଦ୍ଧବାହିନୀପତି କହିଛନ୍ତି, ଜିଆରଏସମାନେ ବ୍ୟାପକ ଦୁର୍ନୀତି କରୁଛନ୍ତି। ଜଣେ ଜିଆରଏସଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ସହ ଭୁବନେଶ୍ୱରରେ ଏକାଧିକ ପ୍ଲଟ ଠାବ ହୋଇଛି । ଅନେକ ବିଧାୟକଙ୍କର ରାଜଧାନୀରେ ଇଞ୍ଚେ ଜାଗା ନାହିଁ। ମାତ୍ର ଅଫିସରମାନେ ଏକାଧିକ ପ୍ଲଟର ମାଲିକ। ବ୍ଲକ ଓ ଆରଡବ୍ଲ ଏସଏସଏସ ଅଫିସ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି ସେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଶାସକ ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ସରକାର ହାତ ବାନ୍ଧି ବସିନାହାନ୍ତି। ଦୁର୍ନୀତି ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯାଉଛି। ଯିଏ ଦୁର୍ନୀତିଗ୍ରସ୍ତ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି। ବିଧାୟକ ବୋମୋକେଶ ରାୟ କହିଛନ୍ତି, ଦିନ ଥିଲା ମନ୍ତ୍ରୀ, ବିଧାୟକ ଦୁର୍ନୀତି କରୁଥିଲେ ବି କୌଣସି କାର୍ଯାନୁଷ୍ଠାନ ହେଉନଥିଲା। ଏବେ ରାଜ୍ୟରେ ସ୍ୱଚ୍ଛତାର ଯୁଗ ଚାଲିଛି। ଯେତେ ପ୍ରଭାବଶାଳୀ ବକ୍ତି ହେଲେ ବି ସରକାର କଡ଼ା କାର୍ଯାନୁଷ୍ଠାନ ନେଉଛନ୍ତି। ଆଲୋଚନାରେ ବିଧାୟକ ଦେବେଶ ଆଚାର୍ଯ ମଧ୍ୟ ଅଂଶଗ୍ରହଣ କରିଥିଲେ।

ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଞ୍ଚିବା ସତ୍ୟ ନୁହେଁ । ଏହା ସମ୍ପୂର୍ଣ୍ଣ ଭୀତ୍ତିହିନ । ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । କଣ୍ଟ୍ରାକ୍ଟରମାନଙ୍କୁ ଲାଇସେନ୍ସ ପ୍ରଦାନଠୁ ବିଲ୍‌ ପୈଠ ପର୍ଯ୍ୟନ୍ତ ସବୁ କିଛି ଅନଲାଇନରେ ହେଉଛି ବୋଲି ଅର୍ଥ ମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ନରଞ୍ଜନ ପୁଜାରୀ କହିଛନ୍ତି ।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଦୁର୍ନୀତି ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯାଉଛି। ଯେତେ ପ୍ରଭାବଶାଳୀ ବ୍ୟକ୍ତି ହେଲେ ବି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଛି। ଏ ସରକାରରେ ଜିଲ୍ଲାପାଳଙ୍କୁ ବି ଜେଲ ପଠାଯାଇଛି। ଖୋଦ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଜିଲାନ୍ସ ବିଭାଗ ଭଲ କାମ କରୁଛି । ଦକ୍ଷ ଅଫିସରମାନେ ଭିଜିଲାନ୍ସ ବିଭାଗରେ ନିଯୁକ୍ତ ହେଉଛନ୍ତି। ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶାରେ ଭିଜିଲାନ୍ସ ଏକାଡେମୀ ଗଠନ ହୋଇଛି। ରାଉରକେଲାରେ ଭିଜିଲାନ୍ସ ଡିଭିଜନ ପ୍ରତିଷ୍ଠା ହୋଇଛି। ସ୍ୱଚ୍ଛତା ରାଜ୍ୟ ସରକାରଙ୍କ ମୂଳ ମନ୍ତ୍ର। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସରକାର ବଦ୍ଧ ପରିକର। ଏଥିପାଇଁ ଦୀର୍ଘ ୨୨ ବର୍ଷ ହେଲାଣି ସେବା କରିବାକୁ ଜନତା ନିରବିଚ୍ଛିନ୍ନ ଭାବେ ସୁଯୋଗ ଦେଇ ଆସୁଛନ୍ତି। ବିରୋଧୀଙ୍କ ପାଖରେ ନିର୍ଦ୍ଦିଷ୍ଟ ବା ଠୋସ୍‌ କଥା ନାହିଁ।

୨୦୨୧ ଜାନୁଆରୀ ୧ରୁ ୨୦୨୨ ଜୁନ ୩୦ ସୁଦ୍ଧା ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ୭୫୮ ଜଣ ବିରୋଧରେ ୪୦୪ଟି କ୍ରମିନାଲ କେସ ରୁଜୁ ହୋଇଛି । ସେଥିମଧ୍ୟରୁ ୭୬ ଜଣ ‘କ’ ବର୍ଗର ଅଧିକାରୀ, ୬୮ ଜଣ ‘ଖ’ ବର୍ଗର ଅଧିକାରୀ ଅଛନ୍ତି । ସେହିପରି ୪୩ ଜଣ ‘କ’ ବର୍ଗର ଅଧିକାରୀ ଓ ‘ଖ’ ବର୍ଗର ୪୯ ଜଣ ଅଧିକାରୀଙ୍କୁ ମିଶାଇ ସମୁଦାୟ ୨୭୨ ଜଣଙ୍କୁ ଗିରଫ କରାଯାଇଛି । ଏଯାଏ ୨୫୪.୫୭ କୋଟି ଟଙ୍କା ଜବତ କରାଯାଇଛି । ୭୫ଟି ମାମଲାରେ ୮୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୬ଜଣଙ୍କୁ ଚାକିରୀରୁ ବରଖାସ୍ତ କରାଯିବା ସହ ୧୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ ବନ୍ଦ କରାଯାଇଛି । ଭିଜିଲାନ୍ସ ‘ଖ’ ବର୍ଗ ଅଧିକାରୀଙ୍କଠାରୁ ୧୪ କୋଟି ୮୮ ଲକ୍ଷ ୯୧ ହଜାର ୧୯୪ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି ।