ଅଟୋରୁ ଖସିପଡି ଥିବା ମହିଳାଙ୍କ ଉପରେ ଚଢିଗଲା ଡମ୍ପର

ବାଲିଆପାଳ : (ଉମାକାନ୍ତ ନାୟକ) ଅଟୋରୁ ଖସିପଡି ଥିବା ମହିଳାଙ୍କ ଉପରେ ମାଡିଗଲା ପଛରେ ଆସୁଥିବା ଡମ୍ପର । ଘଟଣା ସ୍ଥଳରେ ମହିଳା ଜଣକର ମୃତ୍ୟୁ ଘଟିଛି । ମୃତକ ପଶ୍ଚିମବଙ୍ଗ ହୁଗୁଳିର ବନଶ୍ରୀ ସାହା । ମହିଳାଙ୍କ ବୟସ ୩୧ ବର୍ଷ ବୋଲି ସୂଚନା ରହିଛି । ଭୋଗରାଇ ଲକ୍ଷ୍ନୀନାରାୟଣ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରୁ ୨୦ ଜଣ ପର୍ଯ୍ୟଟକ ଦୀଘା ବୁଲିବାକୁ ଆସିଥିଲେ। ଆଜି ସକାଳେ ୬ ଜଣ ପର୍ଯ୍ୟଟକ ଚନ୍ଦନେଶ୍ବର ମନ୍ଦିରକୁ ବୁଲିବାକୁ ଯାଉଥିଲେ। ଭୋଗରାଇ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ବଡ଼ ହମ୍ପସରେ ମହିଳା ଜଣକ ରାସ୍ତାରେ ଖସି ପଡିଥିଲେ । ଠିକ୍‌ ସେହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ହାଇୱା ତାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜଳେଶ୍ବରପୁର ମେଡିକାଲକୁ ପଠାଯାଇଥିଲା। ମାତ୍ର ଡାକ୍ତର ସେଠାରେ ମହିଳାଙ୍କ ମୃତ୍ୟ ଘଟିଥିବା ଘୋଷଣା କରିଥିଲେ।

ଘଟଣା ସ୍ଥଳରେ ଉତ୍ୟକ୍ତ ଲୋକେ ଅଟୋ ଓ ଡମ୍ପର କୁ ଅଟକ ରଖି ତାଳସାରୀ ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ । ପୋଲିସ ଗାଡି ଦୁଇଟିକୁ ଜବତ କରି ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।